ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ସଂଗଠନ ତରଫରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ଭୁବନେଶ୍ବର(ରାଜ୍ୟକାହାଣୀ) ନିଟ୍ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଏବଂ ସିବିଏସଇ ପରୀକ୍ଷା ପରିଚାଳନାରେ ବ୍ୟାପକ ଦୁର୍ନୀତି ପ୍ରତିବାଦରେ ଆଜି ମାଷ୍ଟରକ୍ୟାଣ୍ଟିନ୍ ଛକ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରି ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ଜିଲ୍ଲା ସଂଗଠନର ଶତାଧିକ କାର୍ଯ୍ୟକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭରେ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଯୋଗ ଦେଇ ୨୨ଲକ୍ଷ ନିଟ୍ ପରୀକ୍ଷାର୍ଥୀଙ୍କ ଭାଗ୍ୟ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେବା ସହ ୧୭ ଜଣ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାର ମୁଖ୍ୟ ନାୟକ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି ଜଣାଇଥିଲେ। ବାରମ୍ବାର ପେପର ଲିକ୍ ଏବଂ ଛାତ୍ରଛାତ୍ରୀମାନେ ଅସହ୍ୟ ଯନ୍ତ୍ରଣା ପାଉଥିଲେ ମଧ୍ୟ କେନ୍ଦ୍ର ସରକାର ନିରବଦ୍ରଷ୍ଟା ହୋଇ ବସିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେପର ଲିକ୍ ଏବଂ ସିବିଏସଇ ଘୋଟାଲା ମାମଲାରେ କୌଣସି ପଦକ୍ଷେପ ନ ନେବା ଏବଂ ତାଙ୍କ ସମୟରେ ବାରମ୍ବାର ପେପର ଲିକ୍ ହେବା ତାଙ୍କର ଅଯୋଗ୍ୟ ପଣିଆ, ଏ ସମ୍ପର୍କିତ ଦୁର୍ନୀତିରେ ସଂଶ୍ଳିଷ୍ଟିକୁ ଦର୍ଶାଉଛି । ଗତ ପାଞ୍ଚବର୍ଷ ମଧ୍ୟରେ ଚାରିଥର ନିଟ୍ ପେପର ଲିକ୍ ହେବା ଏବଂ ଆରୋପୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା, ପେପର ଲିକ୍ ଘୋଟାଲାରେ ଖୋଦ ମନ୍ତ୍ରୀ ଏବଂ ଅଧିକାରୀ ମାନଙ୍କର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଶିକ୍ଷାମନ୍ତ୍ରୀଙ୍କ ଯୋଗୁଁ ଅନେକ ନିରୀହ ମେଧାବୀ ଛାତ୍ରଛାତ୍ରୀ ପ୍ରାଣବଳୀ ଦେଇଥିଲେ ମଧ୍ୟ କ୍ଷମତାର ନିଶାରେ କୌଣସି ଉତ୍ତରଦାୟୀତ୍ଵତା ନ ନେଇ, ନିଜପଦରୁ ଇସ୍ତଫା ନ ଦେଇ ଧର୍ମେନ୍ଦ୍ର ପ୍ରଧାନ ପ୍ରମାଣିତ କରିଛନ୍ତି ଯେ, ସେ ଜଣେ କ୍ଷମତା ଲୋଭୀ, ଦାୟିତ୍ଵହୀନ ଏବଂ ଦୁର୍ନୀତି ଗ୍ରସ୍ତ ମନ୍ତ୍ରୀ । ଏହି ବିକ୍ଷୋଭରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସୌମ୍ୟ ରଞ୍ଜନ ସ୍ବାଇଁ,ସଂଗଠନ ସମ୍ପାଦକ ଶ୍ରୀ ସନ୍ଦୀପ୍ତ ଦାସ୍, ରାଜ୍ୟ ମିଡ଼ିଆ ସଂଯୋଜକ ଶ୍ରୀ ଅମିୟ ଶର୍ମା,ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଜୟସୂର୍ଯ୍ୟ କାନୁନଗୋ, ଜିଲ୍ଲା ସମ୍ପାଦକ ଶ୍ରୀ ଶୈଳେନ୍ଦ୍ର କୁମାର ସ୍ବାଇଁ, ଉତ୍ତର ବିଧାନସଭାର ସଭାପତି ଶ୍ରୀ ଜୟରାମ ମଲ୍ଲିକ, ଶ୍ରୀ ସୁପ୍ରାଜ୍ ଦିଗାଲ, ମହିଳା ନେତ୍ରୀ ଶ୍ରୀମତି କବିତା ହାଁସଦା, ସୌଦାମିନୀ ହାଁସଦା, ଶ୍ରୀମତି ଦୀପ୍ତି ମଞ୍ଜରୀ ନାୟକ,ଶ୍ରୀମତି ଜ୍ୟୋତିର୍ମୟୀ ନାୟକ, ଶ୍ରୀମତି ଅଞ୍ଜଳି ନାଥ ପ୍ରମୁଖ ଯୋଗଦେଇ ତୁରନ୍ତ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରାଯିବା ସହ ଏ ସମ୍ପର୍କରେ ନିରପେକ୍ଷ ତଦନ୍ତ କରିବା ନିମନ୍ତେ ଦାବି ଜଣାଇଥିଲେ। ଭାରତୀୟ ଜନତା ପାର୍ଟିର ସରକାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରର ଭବିଷ୍ୟତ ସହିତ ଖେଳିବାର କୌଣସି ଅଧିକାର ନାହିଁ ବୋଲି ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତାମାନେ ଚେତାବନୀ ଦେଇଥିଲେ।

You might also like