ଦୁର୍ଘଟଣା ଜନିତ ମୃତ୍ୟୁରେ ଗୃହିଣୀଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା କ୍ଷତିପୂରଣ- ସୁପ୍ରିମକୋର୍ଟ
ଦୁର୍ଘଟଣାରେ ଯେତେବେଳେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୁଏ, ସେତେବେଳେ ତାଙ୍କର ରୋଜଗାର କିମ୍ୱା ଦରମା ହିସାବରେ କ୍ଷତିପୂରଣ ସ୍ଥିର କରାଯାଏ। କିନ୍ତୁ ହୋମ ମେକର୍ (ଗୃହିଣୀ) ମହିଳାମାନଙ୍କ ସହ ଜଡ଼ିତ ମାମଲାରେ ଏହି ବିଷୟଟି ଜଟିଳ ହୋଇଯାଏ, କାରଣ ଗୃହିଣୀମାନଙ୍କର କୌଣସି ର୍ନିଦ୍ଦିଷ୍ଟ ରୋଜଗାର ନଥାଏ। ଏବେ ସୁପ୍ରିମକୋର୍ଟ ଗୃହିଣୀମାନଙ୍କ କ୍ଷତିପୂରଣକୁ ନେଇ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି।କୋର୍ଟ କହିଛନ୍ତି ଯେ, ସେମାନେ ମାଗଣାରେ କରୁଥିବା ଘରକାମର ମୂଲ୍ୟ ଅତିକମରେ ମାସିକ ୩୦ ହଜାର ଟଙ୍କା ହିସାବରେ ଆକଳନ କରାଯିବା ଉଚିତ ।ଦୁର୍ଘଟଣାର ଶିକାର ହୋଇଥିବା ଗୃହିଣୀମାନଙ୍କ ମାମଲାରେ କ୍ଷତିପୂରଣକୁ ନେଇ ସୁପ୍ରିମକୋର୍ଟ ଏକ ନୂତନ ଗାଇଡଲାଇନ ଜାରି କରିଛନ୍ତି ଏବଂ ଗୃହିଣୀ ମହିଳାମାନଙ୍କ ମୃତ୍ୟୁରେ ମାସିକ ୩୦ ହଜାର ଟଙ୍କା ହିସାବରେ କ୍ଷତିପୂରଣ ସ୍ଥିର କରିବାକୁ କହିଛନ୍ତି। ଜଷ୍ଟିସ ସଞ୍ଜୟ କରୋଲ ଏବଂ ଜଷ୍ଟିସ ଏନ. କୋଟିଶ୍ଵର ସିଂଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । ‘ଗୃହିଣୀମାନେ କେବଳ ପରିବାର ନୁହେଁ, ବରଂ ଦେଶ ଗଠନ କରନ୍ତି । ସମାଜ ଓ ପରିବାରରେ ସେମାନଙ୍କର ଭୂମିକା ଅନନ୍ୟ, ତେଣୁ ସେମାନଙ୍କ ପରିଶ୍ରମକୁ କମ୍ କରି ଦେଖାଯାଇପାରିବ ନାହିଁ ।’ ମୋଟର ଦୁର୍ଘଟଣା ଦାବି ପ୍ରତିକାର ସଂସ୍ଥା ମାମଲାରେ ଏଣିକି ‘ଘରୋଇ ସେବା କିମ୍ବା ଯତ୍ନର ହାନି’କୁ ଏକ ସ୍ୱତନ୍ତ୍ର କ୍ଷତିପୂରଣ ଶ୍ରେଣୀ ଭାବେ ଗଣନା କରାଯିବ । ଏହି ମାମଲାଟି ୨୦୦୧ ମସିହାରେ ପଞ୍ଜାବରେ ଘଟିଥିବା ଏକ ସଡ଼କ ଦୁର୍ଘଟଣା ସହ ଜଡ଼ିତ । ଯେଉଁଥିରେ ‘ରେଶମା’ ନାମକ ଜଣେ ଗୃହିଣୀ ପ୍ରାଣ ହରାଇଥିଲେ । ଉଚିତ କ୍ଷତିପୂରଣ ପାଇଁ ତାଙ୍କ ପରିବାର ଦୀର୍ଘ ଦୁଇ ଦଶନ୍ଧି ଅର୍ଥାତ ୨୫ ବର୍ଷ ଧରି ଆଇନଗତ ଲଢ଼େଇ ଲଢ଼ୁଥିଲେ । ଏହି ମାମଲାର ସମାଧାନ କରି କୋର୍ଟ ମହିଳାମାନଙ୍କ ବିନା ଦରମାର ପରିଶ୍ରମକୁ ଆର୍ଥିକ ମାନ୍ୟତା ଦେଇ ଲିଙ୍ଗଗତ ବୈଷମ୍ୟ ଦୂର କରିବାକୁ ଚେଷ୍ଟା କରିଛନ୍ତି ।ପୂର୍ବରୁ ଅନେକ ମାମଲାରେ ଗୃହିଣୀମାନଙ୍କର ଆୟକୁ କେବଳ ଦୈନିକ ମଜୁରୀ କିମ୍ବା କୁଶଳୀ ଶ୍ରମିକଙ୍କ ଦରମା ଆଧାରରେ ଆକଳନ କରାଯାଉଥିଲା, ଯାହା ସେମାନଙ୍କ ପ୍ରକୃତ ଅବଦାନର ସଠିକ ମୂଲ୍ୟାଙ୍କନ କରୁନଥିଲା । ଆଇନ ବିଶେଷଜ୍ଞଙ୍କ ଅନୁଯାୟୀ, ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଏଣିକି ସାରା ଦେଶରେ ଗାଡ଼ି ଦୁର୍ଘଟଣା ମାମଲାରେ ଗୃହିଣୀମାନଙ୍କ ମୃତ୍ୟୁ ଜନିତ କ୍ଷତିପୂରଣ ରାଶିରେ ବଡ଼ ଧରଣର ବୃଦ୍ଧି ଘଟିବ । ଏହାସହ ଘରୋଇ କାର୍ଯ୍ୟର ସାମାଜିକ ଓ ଆର୍ଥିକ ଗୁରୁତ୍ୱକୁ ଏକ ନୂଆ ସାମ୍ବିଧାନିକ ମାନ୍ୟତା ମିଳିଛି ।