ଭତ୍ତା ନ ଦେଲେ ସରକାରଙ୍କ ସତ୍ତା ରହିବନି : ଓଡ଼ିଶା ସ୍ୱାଭିମାନ ମଞ୍ଚ
ଭୁବନେଶ୍ୱର(ରାଜ୍ୟ କାହାଣୀ): ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଏବେ ଳୋକଙ୍କୁ ଶୋଷଣ କରୁଛି। ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ଦଳ କ୍ଷମତାକୁ ଆସିବା ପରେ ଲୋକଙ୍କୁ ପ୍ରତାରଣା କରିଛି। ପ୍ରତିଦିନ ରାଜ୍ୟରେ ଅପରାଧ ବଢ଼ି ଚାଲିଛି। ସରକାରୀ ଗୁଣ୍ଡରାଜ, ଅତ୍ୟାଚାର କ୍ରମେ ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ନୂଆ ଯୋଜନା କାର୍ଯ୍ୟକାରୀ କରିବା ତ ଦୂରର କଥା ପୂର୍ବ ସରକାର କରିଥିବା ଯୋଜନଗୁଡ଼ିକ ଠିକ୍ ଭାବେ ଚଲେଇ ପାରୁନି। ମାତ୍ର ଦୁଇ ବର୍ଷ ଭିତରେ ଅତିଷ୍ଠ ହୋଇ ପଡିଲେଣି ରାଜ୍ୟବାସୀ। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ସମସ୍ୟାର ସମାଧାନ କରିବା ସହ ସରକାରଙ୍କୁ ପ୍ରଶ୍ନ ପଚାରିବାର ବିରୋଧୀ ଏକ ପ୍ରକାର ଫେଲ୍ କରିଛନ୍ତି। ତେଣୁ ସରକାରଙ୍କୁ ପ୍ରଶ୍ନ ପଚାରିବା ସହ ଠିକ୍ ବାଟକୁ ଆଣିବା ପାଇଁ ଗଠନ ହୋଇଛି ଓଡ଼ିଶା ସ୍ୱାଭିମାନ ମଞ୍ଚ। ରବିବାର ମଞ୍ଚ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ମଞ୍ଚର ଆବାହକ ସୁଧାଂଶୁ ପାତ୍ର। ବର୍ତ୍ତମାନ ସରକାରଙ୍କ ପରିଚାଳନାଗତ ତୃଟି ପାଇଁ ପୂର୍ବ ସରକାର ସମୟରେ ବରିଷ୍ଠ ନାଗରିକଙ୍କୁ ଦିଆ ଯାଉଥିବା ଭତ୍ତା ଗତ କିଛି ମାସ ଧରି ଲୋକଙ୍କୁ ମିଳି ନାହିଁ। ତେଣୁ ସରକାର ତୁରନ୍ତ ଭତ୍ତା ଦିଅନ୍ତୁ ନ ଚେତ୍ ସରକାରଙ୍କ ସତ୍ତା ରହିବ ନାହିଁ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।