ଶିମିଳିପାଳ ପାଦଦେଶରେ ସପ୍ତମରୁ ଅଷ୍ଟମ ଶତାବ୍ଦୀର ପ୍ରାଚୀନ ଶିଳାଲେଖର ସନ୍ଧାନ
ଭୁବନେଶ୍ୱର (ରାଜ୍ୟକାହାଣୀ )ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏକ ପ୍ରାଚୀନ ଐତିହାସିକ କୀର୍ତିରାଜିର ସନ୍ଧାନ ମିଳିଛି ।ଶିମିଳିପାଳ ପାଦଦେଶରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଛାଡ଼କଟା ଗ୍ରାମର ବଡ଼ାମଖାଳ ନାମକ ଏକ ଛୋଟ ନାଳର କୂଳରେ ରହିଛି ଏକ ପ୍ରାଚୀନ ପଥର । ଏହା ଏକ ସେଡିମେଣ୍ଟାରୀ ରକ୍ ବା ଅବସାଦୀ ଶିଳା ହୋଇଥିବା ବେଳେ ଏଥିରେ ଅନେକଗୁଡ଼ିଏ ଚିତ୍ର ଖୋଦିତ ହୋଇଛି । ଏହାକୁ ‘ଅକ୍ଷର ଶିଳା’ ବୋଲି କୁହାଯାଉଛି । ଏଠାରେ ମାନବ ଓ ପଶୁ ଆକୃତିର ପ୍ରାଚୀନ ଖୋଦେଇ ସହ ସପ୍ତମରୁ ଅଷ୍ଟମ ଶତାବ୍ଦୀର ଏକ ଦୁର୍ଲଭ ସଂସ୍କୃତ ଶିଳାଲେଖ ମିଳିଛି । ଯାହା ସିଦ୍ଧ ମାତୃକା ଲିପିରେ ଲେଖାଯାଇଛି । ସିଦ୍ଧ ମାତୃକା ଶିଳାଲେଖ ଖୋଦିତ ହୋଇଛି ଯାହା “(ସୂର୍ଯ୍ୟୋ)ତପୋ(ସ୍ୱୀ) ଭର୍ତି(କା)ସ୍ୟ” ଲେଖାଯାଇଛି ।ବହୁ-ବିଭାଗୀୟ ଗବେଷକଙ୍କ ଏକ ଦଳ ମୟୂରଭଞ୍ଜ ଜିଲ୍ଲାର ସାମାଖୁଣ୍ଟା ବ୍ଲକରେ କଳାପଥର ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଏକ ଛୋଟ ଆଦିବାସୀ ଗ୍ରାମ, ଛାଡକଟା ନିକଟରେ ‘ଆକରସିଲା’ରେ ଏକ ପ୍ରମୁଖ ପ୍ରତ୍ନତାତ୍ତ୍ୱିକ ସ୍ଥାନ ଆବିଷ୍କାର କରିଛନ୍ତି । ବଡ଼ମଖାଲ ନାଳ କୂଳରେ ଏକ ସ୍ଲେଟ୍ ପଥର ଉପରେ ଅବସ୍ଥିତ । ଏହା ସମଗ୍ର ବୁଢ଼ବଳଙ୍ଗ ନଦୀ ଅବବାହିକାରେ ପ୍ରଥମ ପଥର ଲେଖା ଆବିଷ୍କାର ହୋଇଅଛି । ଏହି ସ୍ଥାନ ହଜାର ହଜାର ବର୍ଷର ଇତିହାସକୁ ବ୍ୟାପିଛି । ପ୍ରାରମ୍ଭିକ ଏବଂ ଶେଷ ମଧ୍ୟଯୁଗୀୟ ଶିଳାଲେଖ ସହିତ ପ୍ରାଚୀନ ଖୋଦିତ ଚିତ୍ର ଗୁଡ଼ିକୁ ଦର୍ଶାଉଛି । ଶିମିଳିପାଳ ପାଦଦେଶରେ ଏଭଳି ରକ୍-ଆର୍ଟ ମିଳିବା ଏହା ପ୍ରଥମ ଘଟଣା । ଏହା ଏକ ସେଡିମେଣ୍ଟାରୀ ରକ୍, ଯାହା ନରମ ହୋଇଥିବାରୁ ସେ ସମୟର ଲୋକେ ଏଥିରେ ସହଜରେ ଚିତ୍ର ଖୋଦେଇ କରିପାରିଥିଲେ । ଯଦିଓ ଏହି ଅଞ୍ଚଳ ଐତିହ୍ୟ ଦୃଷ୍ଟିରୁ ସମୃଦ୍ଧ, କିନ୍ତୁ ଏ ପର୍ଯ୍ୟନ୍ତ ସରକାର କିମ୍ବା ଶିକ୍ଷାନୁଷ୍ଠାନ ପକ୍ଷରୁ ଏହାକୁ ଯେତିକି ଗୁରୁତ୍ବ ମିଳିବା କଥା ସେତିକି ମିଳି ପାରିନାହିଁ ।