ଇକୋସେଭର୍ସ: ୟୁଥ୍ ନେଟୱାର୍କ ପାଳନ କଲେ ବିଶ୍ଵ ପରିବେଶ ଦିବସ

ଭୁବନେଶ୍ୱର( ରାଜ୍ୟ କାହାଣୀ)ରାଜ୍ୟରେ ଦୀର୍ଘ ୩୬ ବର୍ଷ ଧରି କାର୍ଯ୍ୟରତ ସ୍ୱେଚ୍ଛାସେବୀ ସଂଗଠନ ପିପୁଲ୍ସ କଲଚରାଲ୍ ସେଣ୍ଟର (ପିକକ୍) ଦ୍ୱାରା ପ୍ରୋତ୍ସାହିତ ଇକୋସେଭର୍ସ: ୟୁଥ ନେଟୱର୍କ ପକ୍ଷରୁ ଖୋର୍ଦ୍ଧା, ବାଲେଶ୍ୱର, କଟକ, କେନ୍ଦୁଝର, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ସମେତ ବିଭିନ୍ନ ଜିଲ୍ଲାରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଇକୋସେଭର୍ସ: ୟୁଥ୍ ନେଟୱାର୍କ ୨୦୧୨ ମସିହାରେ ଗଠିତ ହେବା ପରଠାରୁ ତୃଣମୂଳ ସ୍ତରରେ ପରିବେଶ ସଂରକ୍ଷଣ ପାଇଁ ଉତ୍ସର୍ଗୀକୃତ, ଏକ ସ୍ୱଚ୍ଛ ଏବଂ ସୁସ୍ଥ ବିଶ୍ଵ ଗଠନ ପାଇଁ ବିଭିନ୍ନ ପଦକ୍ଷେପ ନେଇ ଚାଲିଛି। ସେମାନଙ୍କର କାର୍ଯ୍ୟ ମଧ୍ୟରେ ରହିଚି ଶୁଖିଆସୁଥିବା ଝରଣାରେ ପଥର ବନ୍ଧ ମାଧ୍ୟମରେ ଜଳ ସରକ୍ଷଣ, ପକ୍ଷୀମାନଙ୍କ ପାଇଁ କୁତ୍ରିମ ବସା ସ୍ଥାପନ, ବ୍ୟାପକ ବୃକ୍ଷ ରୋପଣ ଅଭିଯାନ, ଜୈବିକ ପଦ୍ଦତିରେ ବଗିଚାରେ ଚାଷ, ବର୍ଜ୍ୟବସ୍ତୁ ପରିଚାଳନା, ଗାଁ, ବିଦ୍ୟାଳୟ, ରାସ୍ତାଘାଟ ଏବଂ ଜଳାଶୟ ନିକଟରେ ସଫେଇ ଅଭିଯାନ, ବର୍ଷା ଜଳ ସରକ୍ଷଣ ଏବଂ ସବୁଜ ଉଦ୍ୟୋଗିତାକୁ ପ୍ରୋତ୍ସାହନ ଭଳି ବିଭିନ୍ନ କାର୍ଯ୍ୟରେ ସାମିଲ ହୋଇଛନ୍ତି।ଏହି ଅବସରରେ ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି କହିଥିଲେ, “ଚଳିତ ବର୍ଷର ବିଷୟ ‘ପ୍ରକୃତିର ପ୍ରେରଣାରେ ଜଳବାୟୁ ପାଇଁ ଆମର ଭବିଷ୍ୟତ ପାଇଁ’ ଜଳବାୟୁ ପରିବର୍ତ୍ତନ, ପୃଥିବୀ ଆମକୁ ଦେଉଥିବା ସଙ୍କେତ ଏବଂ ଆମେ ପୃଥିବୀକୁ ଦେଉଥିବା ପ୍ରତିକ୍ରିୟା ଉପରେ ଗୁରୁତ୍ୱାରୋପ କରୁଛି। ଏହା ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ପ୍ରକୃତି-ଭିତ୍ତିକ ସମାଧାନ ଉପରେ ଗୁରୁତ୍ୱକୁ ଉଲ୍ଲେଖ କରେ। ପରିବେଶ ସଂରକ୍ଷଣ ହେଉଛି ଜଳବାୟୁ ସ୍ଥିରତାର ମୂଳ ଆଧାର।”କେନ୍ଦୁଝର ଜିଲ୍ଲାର ଘଟଗାଁର ଇକୋସେଭର୍ସ ୟୁଥ ନେଟୱର୍କ ସଦସ୍ୟ ନିରଞ୍ଜନ ମୁଣ୍ଡା କହିଥିଲେ, “ଯୁବଶକ୍ତି ଚିରସ୍ଥାୟୀ ଜୀବନଶୈଳୀ ଗ୍ରହଣ କରିବା ଏବଂ ଜଳବାୟୁ ସମାଧାନକୁ ଆଗକୁ ନେବା ମାଧ୍ୟମରେ ଏକ ସବୁଜ ଏବଂ ସୁସ୍ଥ ବିଶ୍ୱ ଗଠନ କରିପାରିବ।” ବିଶ୍ୱ ପରିବେଶ ଦିବସ ଅବସରରେ ଇକୋସେଭର୍ସ ସଦସ୍ୟମାନେ ଗ୍ରାମ ସଫେଇ ଅଭିଯାନ, ବୃକ୍ଷରୋପଣ, ସାଇକେଲ ରାଲି, ମଞ୍ଜି ବଲ୍ ପ୍ରସ୍ତୁତି, ପକ୍ଷୀ ବସା ପ୍ରସ୍ତୁତି ଏବଂ ଗ୍ରାମରେ ବୈଠକ ଭଳି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି ପ୍ରୟାସ ମାଧ୍ୟମରେ ଅଧିକ ଲୋକଙ୍କୁ ପରିବେଶ ସୁରକ୍ଷା ଅଭିଯାନରେ ସାମିଲ ହେବାକୁ ଉତ୍ସାହିତ କରାଯାଇଥିଲା।ଯାଜପୁରର ଇକୋସେଭର୍ସ ୟୁଥ ନେଟୱର୍କ ସଦସ୍ୟା ଅନିତା ମହନ୍ତ କହିଥିଲେ, “ପରିବେଶ ସୁରକ୍ଷା ଆମର ଦୈନନ୍ଦିନ ଛୋଟ ଛୋଟ ପଦକ୍ଷେପରୁ ଆରମ୍ଭ ହୁଏ। ଯେତେବେଳେ ସମୁଦାୟ ଏବଂ ଯୁବପିଢ଼ି ଏକାଠି କାମ କରିବେ, ସେତେବେଳେ ଆମେ ସମସ୍ତଙ୍କ ପାଇଁ ଏକ ସ୍ଥାୟୀ ଏବଂ ଜଳବାୟୁ-ସହନଶୀଳ ଭବିଷ୍ୟତ ଗଠନ କରିପାରିବା।”ବୋଲଗଡ଼, ଖୋର୍ଦ୍ଧା ର ଇକୋସେଭର୍ସ ଯୁବ ନେଟୱର୍କ ସଦସ୍ୟା ତନ୍ମୟୀ ପାଟଶାଣି କହିଥିଲେ, “ଆସନ୍ତୁ କେବଳ କଥା ନୁହେଁ, କାର୍ଯ୍ୟ କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଆମ ପୃଥିବୀକୁ ସୁରକ୍ଷା କରିବା ପାଇଁ ପ୍ରେରିତ କରିବା। ପରିବର୍ତ୍ତନ ନିଜଠାରୁ ଆରମ୍ଭ ହୁଏ ଏବଂ ମିଳିତ ପ୍ରୟାସରେ ଆମେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଚିରସ୍ଥାୟୀ କରିପାରିବା।”

You might also like