ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀଙ୍କ  ଦାବୀ ପ୍ରତି ସରକାରୀ ଉଦାସୀନତା

ଭୁବନେଶ୍ୱର, ( ରାଜ୍ୟ କାହାଣୀ ): ବିଭିନ୍ନ ଯଥାର୍ଥ ଓ ନ୍ୟାୟାଚିତ ଦାବୀ ନେଇ ରାଜ୍ୟ ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ସଙ୍ଘ ବିଭିନ୍ନ ସ୍ତରରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଏଯାବତ ଏହାର କୌଣସି ସକାରାତ୍ମକ ଫଳାଫଳ ମିଳିପାରିନାହିଁ. ସୂଚନାଯୋଗ୍ୟ ଯେ, ଗତ ତା ୦୧. ୦୧. ୨୦୧୬ ରିଖରୁ ତା ୦୧. ୧୦. ୨୦୧୭ ମସିହା ପର୍ୟ୍ୟନ୍ତ ମୋଟ ୨୧ ମାସ ଦରମାରୁ ଶିକ୍ଷକ ଓ କର୍ମଚାରୀମାନେ ବଞ୍ଚିତ ହୋଇଛନ୍ତି. ପୁନଶ୍ଚ, ଷଷ୍ଠ ବେତନ କମିଶନ ନୀୟମ ଅନୁଯାୟୀ ଉପଭୋକ୍ତାମାନେ ନିଜ ଦରମାର ସାଢେ ସାତମାସ କିମ୍ବା ସାଢେ ସାତଲକ୍ଷ ଟଙ୍କାର ଗ୍ରାଚ୍ୟୁଇଟ ପାଉଥିଲା ବେଳେ ସପ୍ତମ ବେତନ କମିଶନ ଅନୁଯାୟୀ ଏହାକୁ କାଟିକୁଟି ମୁଣ୍ଡାମୁଣ୍ଡି ମୋଟ ୫ ( ପାଞ୍ଚ ଲକ୍ଷ ) ଟଙ୍କାକୁ କମାଇ ଦେଇଛନ୍ତି, ଯାହା ରାଜ୍ୟ ଶିକ୍ଷକ ଓ କର୍ମଚାରୀଙ୍କ ମନରେ ଘୋର ନୈରାଶ୍ୟ ସୃଷ୍ଟି କରିଛି. ଏହାସହ ଯୋଗ୍ୟ ହିତାଧିକାରୀମାନଙ୍କୁ ନିଜ ଅନୁଦାନଯୋଗ୍ୟ ତାରିଖ ଆଧାରରେ  ଏମ. ଏ. ସି. ପି (ମୋଡିଫାଏଡ ଆସିଓର୍ଡ କ୍ୟାରିଅର ପ୍ରୋଗ୍ରେସନ) ପ୍ରଦାନ ପାଇଁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ରାଜ୍ୟସରକାର ଏହା ପ୍ରତି କୌଣସି ଦୃଷ୍ଟି ଦେଉନାହାନ୍ତି. ଦୁର୍ଭାଗ୍ୟର ବିଷୟ ,୨୦୦୮ ମସିହା ଅନୁଦାନ ଆଇନ ଅନୁଯାୟୀ  ପୂର୍ଣ୍ଣ ଅନୁଦାନପ୍ରାପ୍ତ  ଶିକ୍ଷକ ଓ କର୍ମଚାରୀମାନେ  ଦୀର୍ଘ ୩୫ ବର୍ଷରୁ ଅଧିକ ସମୟ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ କାର୍ୟ୍ୟ କରିଥିଲେ ମଧ୍ୟ ଅବସର ପରେ ସେମାନେ କୌଣସି ପେନସନ ନ ପାଇ ଖାଲି ହାତରେ ଘରକୁ ଫେରୁଛନ୍ତି  . ଏହା ସହ ଗୋଟିଏ ପକ୍ଷରେ ରାଜ୍ୟ ସରକାରୀ ମହାବିଦ୍ୟାଳୟରେ କାର୍ୟ୍ୟରତ ଶିକ୍ଷକମାନେ ୟୁ. ଜି. ସି ହାରରେ ବେତନ ପାଉଥିବା ବେଳେ ବେସରକାରୀ କଲେଜମାନଙ୍କରେ କୌଣସି ଶିକ୍ଷକ  ୟୁ. ଜି. ସି ହାରରେ ବେତନ ପାଉନାହାନ୍ତି . ଏଥିପାଇଁ ଶିକ୍ଷକମାନେ ଉଚ୍ଚ ନ୍ୟାୟାଳୟ ଓ ଏପରିକି ଉଚ୍ଚତମ ନ୍ୟାୟାଳୟର ଆଶ୍ରୟ ନେଇ, ସରକାର ୟୁ. ଜି. ସି ହାରରେ ବେତନ ଦେବାପାଇଁ ସ୍ପଷ୍ଟ ନିର୍ଦ୍ଦେଶନାମା ପାଇଥିଲେ ମଧ୍ୟ  ସରକାର ଏହାକୁ ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇ ଚାଲିଛନ୍ତି. ଅଧିକନ୍ତୁ ରାଜ୍ୟର ବିଭିନ୍ନ ବେସରକାରୀ କଲେଜରେ ଗତ ୨୦୦୮ ମସିହା ଠାରୁ ୨୦୧୮ ମସିହା ପର୍ୟ୍ୟନ୍ତ କାର୍ୟ୍ୟରତ ସମସ୍ତ  ଅଣଅନୁଦାନପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙୁ ତୁରନ୍ତ ଅନୁଦାନଭୁକ୍ତ କରିବା ପାଇଁ ବିଭିନ୍ନ ସ୍ତରରେ ଆଲୋଚନା ହୋଇଥିଲେ ମଧ୍ୟ ତାହା କେବଳ ପ୍ରତିଶ୍ରୁତି ହିଁ ରହିଯାଇଛି.ଏ ପରିପ୍ରେକ୍ଷୀରେ ଗତ ତା ୨୮.୦୭.୨୦୨୫ ରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସଙ୍ଘର କର୍ମକର୍ତ୍ତାମାନେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଥିଲେ ମଧ୍ୟ ତାହା ଏପର୍ୟ୍ୟନ୍ତ କାର୍ୟ୍ୟକାରୀ ହୋଇପାରିନାହିଁ. ଏହା ସହ ରାଜ୍ୟ ଉଚ୍ଚଶିକ୍ଷାମନ୍ତୀ, ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଓ ଏପରିକି ନିକଟ ଅତୀତରେ ଉଚ୍ଚଶିକ୍ଷା ସମସ୍ୟାର ସମାଧାନ ପାଇଁ   ପୂର୍ବତନ ଆଇ. ଏ. ଏସ ଅଧିକାରୀ ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଉଚ୍ଚକ୍ଷମତା ସମ୍ପନ୍ନ କମିଟିକୁ ସାକ୍ଷାତ କରି ନ୍ୟାର୍ୟ୍ୟ ଦାବିପତ୍ର ଦେବାସହ ସଙ୍ଘ କର୍ମକର୍ତ୍ତାମାନେ ସବିଶେଷ ଆଲୋଚନା ମଧ୍ୟ କରିଥିଲେ. ତେବେ ଏ ପର୍ୟ୍ୟନ୍ତ ଏହି ଆଲୋଚନାଗୁଡିକର କୌଣସି ସକାରାତ୍ମକ ସମାଧାନ ହୋଇପାରିନାହିଁ.

ତେବେ, ଯଦି ସରକାର ଏ ସମସ୍ତ ଦାବୀଗୁଡିକ ପ୍ରତି ଦୃଷ୍ଟି ନଦେଇ  ଟାଳଟୁଳ ନୀତି ଅବଲମ୍ବନ ପୂର୍ବକ ଏହାର ସମାଧାନ ପାଇଁ  କୌଣସି ଆଶୁ ଓ ଉପଯୁକ୍ତ ପଦକ୍ଷେପ ନ ନିଅନ୍ତି, ତେବେ ସଙ୍ଘ   କାର୍ୟ୍ୟକାରିଣୀର ନିଷ୍ପତ୍ତି ଅନୁଯାୟୀ , ଆଗାମୀ  ବିଧାନ ସଭାର  ବର୍ଷାକାଳୀନ ଅଧିବେଶନ ସମୟରେ ପ୍ରତୀକାତ୍ମକ  ଧାରଣା ଦେବାକୁ ବାଧ୍ୟ ହେବୁବୋଲି ସଂଘର ସଭାପତି ଶ୍ରୀ ପ୍ରତାପ କୁମାର ଦାସ, ସାଧାରଣ ସଂପାଦକ ମଦନ ମହଲା, ପୂର୍ବତନ ସଭାପତି ନିରଞ୍ଜନ ଶତପଥୀ, ଶରତ ପାଣିଗ୍ରାହୀ, ଉପେନ୍ଦ୍ର ପରିଡ଼ା, ବିଷ୍ଣୁ ମିଶ୍ର, ରତ୍ନାକର ଦାସ ପ୍ରମୁଖ ଦାବି ଜଣାଇଛନ୍ତି ।

You might also like