ମୌସୁମି କେରଳମ୍ ଛୁଇଁବା ବିଳମ୍ବ ହୋଇପାରେ
ଭୁବନେଶ୍ୱର (ରାଜ୍ୟକାହାଣୀ )ମୌସୁମୀ ଆଗମନକୁ ନେଇ ବଢ଼ିଲା ଅନିଶ୍ଚିତତା । ଜୁନ୍ ୧ ସୁଦ୍ଧା କେରଳ ଛୁଇଁବା ନେଇ ସଂଶୟ । ମେ ୨୬ରେ ମୌସୁମି ବାୟୁ କେରଳମ୍ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଥିଲା। ତେବେ ସଦ୍ୟତମ ବିଶ୍ଲେଷଣ ଅନୁଯାୟୀ ଜୁନ ପହିଲା ବେଳକୁ ମୌସୁମି ବାୟୁ କେରଳମ୍ରେ ପାଦ ଥାପିବାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ବିଶ୍ବଜିତ୍ ସାହୁ କହିଛନ୍ତି।ପାଣିପାଗ ବିଶେଷଜ୍ଞ ଏବଂ ଘରୋଇ ସଂସ୍ଥା ‘ସ୍କାଏମେଟ୍’ ର ରିପୋର୍ଟ ଅନୁଯାୟୀ, ମୌସୁମୀ ବିଳମ୍ବ ହେବା ପଛରେ କିଛି ମୁଖ୍ୟ କାରଣ ରହିଛି । ଆରବ ସାଗରରେ ବିଷୁବରେଖା ଅତିକ୍ରମ କରୁଥିବା ମୌସୁମୀ ପବନ ଯେତିକି ଶକ୍ତିଶାଳୀ ହେବା କଥା, ତାହା ହୋଇପାରି ନାହିଁ । ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ‘ଏଲ୍ ନିନୋ’ର ପ୍ରତିକୂଳ ପ୍ରଭାବ ଭାରତୀୟ ମୌସୁମୀ ଚକ୍ରକୁ ଦୁର୍ବଳ କରୁଛି । ତେବେ ମୌସୁମି ବାୟୁ କେରଳମ୍ ଛୁଇଁବାର ୧୦ଦିନ ମଧ୍ୟରେ ଓଡ଼ିଶା ଆସିଥାଏ। ଜୁନ ପ୍ରଥମ ସପ୍ତାହରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯଦି ଏହି ଲଘୁଚାପ ସୃଷ୍ଟି ହୁଏ ତେବେ ଓଡ଼ିଶାକୁ ସ୍ବାଭାବିକ ଭାବେ ମୌସୁମି ବାୟୁ ଆସିବାର ସମ୍ଭାବନା ରହିଛି ବୋଲି ଶ୍ରୀ ସାହୁ କହିଛନ୍ତି।