ତୃତୀୟ ରାଜ୍ୟ ଭାବେ ଆସାମ ବିଧାନସଭାରେ ‘ୟୁସିସି’ ବିଲ୍ ପାସ୍
ନାଗରିକ ସଂହିତା ବିଲ୍ କୁ ନେଇ ଆସାମ ସରକାରଙ୍କ ବଡ ନିଷ୍ପର୍ତ୍ତି। ଆସାମ ବିଧାନସଭାରେ ଐତିହାସିକ ସମାନ ନାଗରିକ ସଂହିତା ବିଲ୍ ପାରିତ ହୋଇଛି। ଏହି ବିଲ୍ ଉତ୍ତରାଖଣ୍ତ ଏବଂ ଗୁଜୁରାଟ ପରେ ଆସାମ ଦେଶର ତୃତୀୟ ରାଜ୍ୟ ଭାବେ ଏହି ଆଇନକୁ ମଞ୍ଜୁରୀ ଦେଇଛି।ଚାଲୁ ରହିଥିବା ପାଞ୍ଚ ଦିନିଆ ବିଧାନସଭା ଅଧିବେଶନର ଶେଷ ଦିନରେ ଏହି ବିବାଦୀୟ ବିଲ୍ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା। କଂଗ୍ରେସ, ରାଇଜୋର ଦଳ ଓ ତୃଣମୂଳ କଂଗ୍ରେସ (ଟିଏମସି) ଭଳି ପ୍ରମୁଖ ବିରୋଧୀ ଦଳଗୁଡ଼ିକ ଏହି ଆଇନକୁ ସିଲେକ୍ଟ କମିଟି ନିକଟକୁ ପଠାଇବା ସହ ଅଧିକ ସମୀକ୍ଷା ପାଇଁ ଦାବି କରିଥିଲେ ହେଁ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱାଧୀନ ବିଜେପି ସରକାର ଏହାକୁ ଗୃହରେ ଗୃହୀତ କରାଇଛନ୍ତି। ଯଦିଓ ଏହି ଆଇନ ଆସାମରେ ବସବାସ କରୁଥିବା କୌଣସି ଅନୁସୂଚିତ ଜନଜାତି (ଏସଟି) ବା ଆଦିବାସୀ ସମ୍ପ୍ରଦାୟ ପାଇଁ ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବିଲର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏହି କୋଡର ମୁଖ୍ୟ ଲକ୍ଷ୍ୟ ହେଉଛି ବିବାହ, ଛାଡ଼ପତ୍ର, ସମ୍ପତ୍ତି ଉତ୍ତରାଧିକାର ଓ ଲିଭ୍-ଇନ୍ ସମ୍ପର୍କ ସହିତ ଜଡ଼ିତ ବ୍ୟକ୍ତିଗତ ନିୟମଗୁଡ଼ିକୁ ଏକତ୍ରିତ ଓ ସରଳ କରିବା। ଆସାମ ୟୁସିସି ବିଲ୍ରେ ବହୁବିବାହକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ‘ଲିଭ୍-ଇନ୍ ରିଲେସନସିପ୍’ର ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି। ବିବାହ ପାଇଁ ପୁରୁଷଙ୍କ ସର୍ବନିମ୍ନ ବୟସ ୨୧ ଏବଂ ମହିଳାଙ୍କ ପାଇଁ ୧୮ ବର୍ଷ ଧାର୍ଯ୍ୟ ହୋଇଛି। ବାକି ସମସ୍ତେ ନିଜ ନିଜ ଧାର୍ମିକ ରୀତିନୀତି ଅନୁସାରେ ବିବାହ କରିପାରିବେ, କିନ୍ତୁ ପଞ୍ଜୀକରଣ ବାଧ୍ୟତାମୂଳକ। ଏହି ଆଇନ ଉଲ୍ଲଂଘନ କଲେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି। ଗୋଟିଏ ସ୍ତ୍ରୀ/ସ୍ୱାମୀ ଥାଉ ଥାଉ ଦ୍ୱିତୀୟ ବିବାହ କଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ହେବ। ସେହିପରି ଲିଭ୍-ଇନ୍ ରିଲେସନସିପ୍କୁ ମାସେ ଭିତରେ ପଞ୍ଜୀକୃତ ନକଲେ ୩ ମାସ ଜେଲ୍ କିମ୍ବା ₹୧୦,୦୦୦ ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିବ। ନୂଆ ଉତ୍ତରାଧିକାରୀ ଆଇନ ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ସମ୍ପତ୍ତି ଉପରେ ସ୍ତ୍ରୀ, ପିଲା ଏବଂ ପିତାମାତାଙ୍କର (Class-1 ଉତ୍ତରାଧିକାରୀ) ସମାନ ଓ ଲିଙ୍ଗଗତ ସମାନତା ଆଧାରରେ ଅଧିକାର ରହିବ।