ଆସିଗଲା ନୌତପା,ବଢ଼ିବ ଖରା
ରାଜ୍ୟ କାହାଣୀ, ଭୁବନେଶ୍ଵର,ପୂରା ଦେଶରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ପ୍ରବାହ। ଆକାଶରୁ ନିଆଁ ବର୍ଷୁଛି ।ଆଜିଠାରୁ ନୌତପା ଆରମ୍ଭ ହେଉଥିବାରୁ ତାତି ଆହୁରି ବଢ଼ିବ । ନୌତପା ହେଉଛି ଭାରତୀୟ ପାଣିପାଗ ଏବଂ ଜ୍ୟୋତିର୍ବିଜ୍ଞାନ ଆଧାରିତ ଏକ ପାରମ୍ପରିକ ଅବଧାରଣା, ଯାହା ଗ୍ରୀଷ୍ମ ଋତୁର ସବୁଠାରୁ ଅଧିକ ଗରମ ଏବଂ କଷ୍ଟଦାୟକ ୯ ଦିନକୁ ବୁଝାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ସୂର୍ଯ୍ୟ ରୋହିଣୀ ନକ୍ଷତ୍ରରେ ପ୍ରବେଶ କରନ୍ତି, ସେତେବେଳେ ନୌତପା ଆରମ୍ଭ ହୁଏ। ସାଧାରଣତଃ ଏହା ମେ ମାସର ଶେଷ ସପ୍ତାହରୁ ଜୁନ୍ ପ୍ରଥମ ସପ୍ତାହ ମଧ୍ୟରେ ପଡ଼ିଥାଏ।ଓଡ଼ିଶାରେ ଏବେ ନୌତପାର ପ୍ରଭାବ ଦେଖିବାକୁ ମିଳୁଛି। ଜଳୁଛି ପୂରା ଓଡ଼ିଶା। ଆଗାମୀ ୩ ଦିନ ଯାଏଁ ତାତିରୁ ତ୍ରାହି ନାହିଁ। ୩ ଦିନ ଯାଏ ୩ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୨୬ ଜିଲ୍ଲାରେ ପ୍ରଚଣ୍ଡ ଖରା ଗରମ ସହ ଉପକୂଳରେ ଗୁଳୁଗୁଳିର ଚେତାବନୀ ରହିଥିବା ବେଳେ ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ସେହିପରି ଝାରସୁଗୁଡ଼ା, ସୋନପୁର, କଳାହାଣ୍ଡି ଓ ନୂଆପଡ଼ା ୪ ଜିଲ୍ଲାକୁ ଅରେଞ୍ଜ ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସମ୍ବଲପୁର ଓ ବଲାଙ୍ଗୀର କୁ ଉଷ୍ମ ରାତ୍ରି ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି ହୋଇଛି।