ଚନ୍ଦ୍ରଭାଗାକୁ ଗଲେ ୪୩ ହଜାରରୁ ଅଧିକ ଅଲିଭ ରିଡଲେ ଶାବକ
ଭୁବନେଶ୍ୱର (ରାଜ୍ୟକାହାଣୀ )ଓଡ଼ିଶା ଉପକୂଳରେ କୋଣାର୍କ ବନଖଣ୍ଡ ଚନ୍ଦ୍ରଭାଗା ସମୁଦ୍ର କୂଳରୁ ପ୍ରାୟ ୪୩ ହଜାରରୁ ଅଧିକ ଅଲିଭ୍ ରିଡ୍ଲେ କଇଁଛ ଶାବକ ନିଜର ନୂତନ ଜୀବନ ଯାତ୍ରା ଆରମ୍ଭ କରିଛନ୍ତି । ବନବିଭାଗର ସଫଳ ସଂରକ୍ଷଣ ଯୋଗୁଁ ସୁରକ୍ଷିତ ଭାବେ ନୀଳ ଜଳରାଶି ମଧ୍ୟକୁ ପ୍ରବେଶ କରିଛନ୍ତି ଅଲିଭ ରିଡଲେ ଶାବକ ।ଚଳିତ ବର୍ଷ ବନବିଭାଗ ପକ୍ଷରୁ କୋଣାର୍କ ବନଖଣ୍ଡର ବିଭିନ୍ନ କଇଁଛ ସୁରକ୍ଷା କେନ୍ଦ୍ରରୁ ମୋଟ ୪୫୮ଟି ବସାରୁ ୫୩ ହଜାର ୫୩୨ଟି ଅଲିଭ୍ ରିଡ୍ଲେ ଅଣ୍ଡା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ସଫଳତା ପୂର୍ବକ ୪୩ ହଜାର ୦୭୦ଟି ଶାବକ ଜନ୍ମ ନେବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଚନ୍ଦ୍ରଭାଗା ସମୁଦ୍ରରେ ଛଡ଼ାଯାଇଛି। ବନବିଭାଗର ସୂଚନା ଅନୁଯାୟୀ, କୋଣାର୍କ ବନାଞ୍ଚଳ ଅଧୀନରେ ଥିବା ଚାରୋଟି ପ୍ରମୁଖ ସୁରକ୍ଷା କେନ୍ଦ୍ରରୁ ଏହି ଅଣ୍ଡାଗୁଡ଼ିକ ସଂଗ୍ରହ କରାଯାଇ କୃତ୍ରିମ ଭାବେ ସଂରକ୍ଷିତ ରଖାଯାଇଥିଲା।ରାମଚଣ୍ଡୀ ଫରେଷ୍ଟ ବିଟ୍ ହାଉସ୍ର ୪୧ଟି ବସାରୁ ୪,୬୯୨ଟି, ଚନ୍ଦ୍ରଭାଗା କଇଁଛ ସୁରକ୍ଷା କେନ୍ଦ୍ରର ୭୮ଟି ବସାରୁ ୮,୭୪୪ଟି, ଦଶଧାଡ଼ିଆ ସୁରକ୍ଷା କେନ୍ଦ୍ରର ୭ଟି ବସାରୁ ୮,୨୫୮ଟି ଏବଂ ସବୁଠାରୁ ଅଧିକ କଅଁରପୁର କଇଁଛ ସୁରକ୍ଷା କେନ୍ଦ୍ରର ୨୬୭ଟି ବସାରୁ ୩୧ ହଜାର ୮୮୮ଟି ଅଣ୍ଡା ସଂଗ୍ରହ କରାଯାଇଥିଲା। ଅନ୍ୟପଟେ କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଗହୀରମଥାରେ ଚଳିତବର୍ଷ ୬ ଲକ୍ଷରୁ ଅଧିକ ଏହି ପ୍ରଜାତିର କଇଁଛ ଅଣ୍ଡାଦାନ ପାଇଁ ଆସିଥିଲେ। ମାତ୍ର ଅଣ୍ଡାଦାନ ନ କରି ସେମାନେ ଫେରିଯାଇଛନ୍ତି।