ଆସନ୍ତା କାଲିଠୁ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ସ୍ଥଗିତ, ପୁଣି ଜୁନ୍ ମାସରୁ ଆରମ୍ଭ

ଆସନ୍ତା କାଲିଠୁ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ସ୍ଥଗିତ । ଜୁନ୍ ମାସରେ ପୁଣି ଗଣତିମଣତି ଆରମ୍ଭ ପାଇଁ ସ୍ଥିର କରାଯାଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା । ବର୍ତ୍ତମାନର ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ, ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଏବଂ ମହାପ୍ରଭୁଙ୍କ ଆଗାମୀ ପର୍ବପର୍ବାଣୀ, ବିଶେଷକରି ସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରାକୁ ଦୃଷ୍ଟିରେ ରଖି, ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଆସନ୍ତା ସପ୍ତାହରୁ ଛତିଶା ନିଯୋଗ ଓ ପରିଚାଳନା କମିଟିର ବୈଠକଗୁଡ଼ିକ କ୍ରମାଗତ ଭାବେ ଆୟୋଜିତ ହେବ । ଉପରୋକ୍ତ ପରିପ୍ରେକ୍ଷୀରେ, ଆସନ୍ତାକାଲିଠାରୁ ଗଣତି କାର୍ଯ୍ୟକୁ ସ୍ଥଗିତ ରଖି ପୁଣି ଜୁନ୍ ମାସରେ ପୁନର୍ବାର ଆରମ୍ଭ କରିବାକୁ ସ୍ଥିର କରାଯାଇଛି। ଅନ୍ୟପଟେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ଅନୁଯାୟୀ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବାରୁ ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଜୋରସୋରରେ ଆଗେଇ ନିଆଯାଉଛି। ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ଏବଂ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ର ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯାଉଛି। ତେବେ ଟୁଣିଆ ମହଲ, ବଲ୍ଲଭ ଘର ଏବଂ ରୋଷଶାଳାର କରାଯାଉଥିବା କାର୍ଯ୍ୟ ସନ୍ତୋଷଜନକ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ଉତ୍ତର ପାର୍ଶ୍ଵ ଗୁମୁଟର ନବୀକରଣ କରାଯାଇଛି। ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵରେ ଥିବା ପ୍ରାଚୀରରେ ଖଣ୍ଡେ ଲାଇଟ୍ ପଥର ସ୍ଥାପନା କରାଯାଇଛି।

You might also like