ଏଣିକି ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ ; ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ଚିଠି
ଭୁବନେଶ୍ୱର (ରାଜ୍ୟକାହାଣୀ )ବଦଳି ଆଦେଶ ମିଳିବା ମାତ୍ରେ ତାହାକୁ ପାଳନ କରିବାକୁ ପଡ଼ିବ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗ ଓ ଜିଲାପାଳଙ୍କୁ କଡ଼ା ଚିଠି । ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ ୧୫ ପର୍ଯ୍ୟନ୍ତ ହେବ ବଦଳି ପ୍ରକିୟା । ସରକାରୀ କର୍ମଚାରୀଙ୍କ ବଦଳି ନିର୍ଦ୍ଦେଶନାମାରେ କେଉଁ କର୍ମଚାରୀ ବା ଅଧିକାରୀ କାହାକୁ ଦାୟିତ୍ୱ ହସ୍ତାନ୍ତର କରିବେ, ତାହା ମଧ୍ୟ ବଦଳି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିବ । ଯଦି କୌଣସି ବିଶେଷ କାରଣରୁ ଏହା ଉଲ୍ଲେଖ ନଥିବ, ତା’ହେଲେ ସଂପୃକ୍ତ କର୍ମଚାରୀ ନିଜ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ଅନ୍ୟ ଜଣେ ସମାନ ପାହ୍ୟାର ଅଧିକାରୀଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାୟିତ୍ୱ ହସ୍ତାନ୍ତର କରି ନୂଆ ସ୍ଥାନରେ ଯୋଗ ଦେବେ । ନୂଆ ନିୟମ କାର୍ଯ୍ୟକାରୀ ହେଲେ କୌଣସି ସରକାରୀ କର୍ମଚାରୀ ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ରହିପାରିବେନି । ଜନସ୍ୱାର୍ଥ ଦୃଷ୍ଟିରୁ ଆବଶ୍ୟକ ହେଲେ ୩ ବର୍ଷ ପୂର୍ବରୁ ମଧ୍ୟ ବଦଳି କରାଯାଇପାରିବ । ଗ୍ରୁପ ‘ଏ’ ଓ ‘ବି’ ପାହ୍ୟାର କୌଣସି ଅଧିକାରୀ ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ । ସେହିପରି ଗ୍ରୁପ୍ ‘ସି’ ପାହ୍ୟାର କର୍ମଚାରୀ ଏକ ନିର୍ଦ୍ଦିଷ୍ଟ ବ୍ଲକ କିମ୍ବା ତହସିଲରେ ୬ ବର୍ଷରୁ ଅଧିକ ଦିନ କାର୍ଯ୍ୟ କରିବାକୁ ବାରଣ କରାଯାଇଛି । ବଦଳି ଅର୍ଡରରେ ରହିବ ରିଲିଭ ଓ ଜଏନିଙ୍ଗ୍ ସମୟ ସୀମା । ଏହି ପ୍ରକିୟାରେ ସ୍ଵଚ୍ଛତା ରଖିବାକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ସାଧାରଣ ପ୍ରଶାସନ ବିଭାଗ ।