ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ସରିଲା ୩ରଥର ୪୨ ଚକ ନିର୍ମାଣ କାର୍ଯ୍ୟ
ରାଜ୍ୟ କାହାଣୀ (ଭୁବନେଶ୍ଵର)ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଆଜି ରଥ ନିର୍ମାଣର ୩୦ ତମ ଦିନରେ ରଥ ନିର୍ମାଣକାରୀ ସେବକମାନେ ସବୁଦିନ ପରି ରଥଖଳାଠାରେ ପହଞ୍ଚି ରଥ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ତିନି ରଥର ୪୨ ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଜି ରଥଚାଳିରେ ମହାରଣା ସେବକ ମାନେ ଗରାଗରାର ଚଉପଟ କାର୍ଯ୍ୟ ଜାରି ରଖିଛନ୍ତି । ରଥ ଅମିନ ଲକ୍ଷ୍ମଣ ମହାପାତ୍ର ଭୋଇ ସେବକଙ୍କ ସହାୟତାରେ ତିନିରଥ ଚାଳିକୁ ଗରଗରା ନିର୍ମାଣ ପାଇଁ ଦୁଇଟି ଲେଖାଏଁ ୨୦ ଫୁଟିଆ ଧଉରାକାଠ ଯୋଗାଇ ଦେଇଛନ୍ତି ତିନି ରଥର ମହାରଣା ସେବକମାନେ ଏହି ୨୦ ଫୁଟିଆ ଧଉରା କାଠ ଯୋଗାଇ ଦେଇଛନ୍ତି । ତିନି ରଥର ମହାରଣା ସେବକମାନେ ଏହି ୨୦ ଫୁଟିଆ ଧଉରା କାଠର ଚଉପଟ କାର୍ଯ୍ୟ ଆରମ୍ଭ କରିଛନ୍ତି । ଭୋଇ ସେବକମାନେ ରଥ ଚାଳିରେ ଚାରପରିଛା ଯୋଗାଇଥିବା ବେଳେ ସେଥିରେ ରୂପକାର ସେବକମାନେ ଖୋଦେଇ ଜାରି ରଖନ୍ତି । ପ୍ରଥମ ପର୍ଯ୍ୟାୟରେ ଅଖ ହଣା କାର୍ଯ୍ୟ ଚାଲିଥିବା ବେଳେ ରୂପକାର ସେବକମାନେ ତିନିରଥର ସାଲଗୁଜରେ ରୂପ ଖୋଦେଇ କରିଛନ୍ତି । କରତୀ ସେବକମାନେ ତାଳଧ୍ୱଜ ରଥର ପୋଲ ଗୟଳ ଚିତା କାର୍ଯ୍ୟ କରୁଥିବା ବେଳେ ଦୋଲଦବେଦୀ ଅସ୍ଥାୟୀ କମାରଶାଳରେ ଓଝା କମାର ସେବକମାନେ ତିନିରଥର ଅଖ ଦଣ୍ଡା ବିଡିଆ ଓ ଅଗ ପାତେଳି କଣ୍ଟା ନିର୍ମାଣ କରୁଛନ୍ତି ।