ନ୍ୟାୟ ନ ପାଇ ଆତ୍ମହତ୍ୟା କଲେ ଗଣବଳାତ୍କାର ପୀତିତା ୨ ଭଉଣୀ

ରାଜସ୍ଥାନର ଯୋଧପୁର ସହରରେ ଏକ ଯୌନ କେଳେଙ୍କାରୀ ଘଟଣା ସାମନାକୁ ଆସିବା ପରେ ସ୍ଥାନୀୟ ପୁଲିସ ତତ୍ପରତା ପ୍ରକାଶ କରିଛି। ଦୁଇ ଭଉଣୀଙ୍କୁ ଗଣ ବଳାତ୍କାର ଓ ବ୍ଲାକ୍‌ମେଲ କରାଯାଇଥିବାବେଳେ ସେମାନେ ଆତ୍ମହତ୍ୟା କରିଥିବା ଜଣାପଡିଛି। ପୁଲିସ ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।ଏହି ଘଟଣାକୁ ନେଇ ଯୋଧପୁର ଗ୍ରାମାଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ପୋଲିସର ଅବହେଳା ଏବଂ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳତାକୁ ବିରୋଧ କରି ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପୀଡ଼ିତାଙ୍କ ବାପା ପୋଲିସର ଆଚରଣକୁ ନେଇ ପ୍ରଶ୍ନ ଉଠାଇବା ସହ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଅପରାଧୀଙ୍କୁ କଠୋର ଦଣ୍ଡବିଧାନ କରାଯିବାକୁ ଦାବି କରିଛନ୍ତି।ସୂଚନାଯୋଗ୍ୟ ଇ-ମିତ୍ର ସର୍ଭିସ ସେଣ୍ଟର ଅପରେଟରଭାବେ କାର୍ଯ୍ୟ କରୁଥିବା ମହୀପାଲ ନାମକ ଜଣେ ବ୍ୟକ୍ତି ଆଜକୁ ପ୍ରାୟ ଚାରି ବର୍ଷ ପୂର୍ବେ ପ୍ରଥମେ ବଡ ଭଉଣୀକୁ ପ୍ରେମ ଜାଲରେ ଫସାଇଥିଲା। ମହୀପାଲ ଗୋପନରେ ଉକ୍ତ ଯୁବତୀଙ୍କର ନଗ୍ନ ଭିଡିଓ ରେକର୍ଡିଂ ପ୍ରସ୍ତୁତ କରି ତାଙ୍କ ସହ ଯୌନ ସମ୍ପର୍କ ସ୍ଥାପନ କରିଥିଲା। ମହୀପାଲ ପୀଡିତାଙ୍କୁ ନିୟମିତ ବଳାତ୍କାର କରିଥିବାବେଳେ ବ୍ଲାକ୍‌ମେଲ କରି ତାଙ୍କ ନିକଟରୁ ଅର୍ଥ ଲୁଟୁଥିଲା। ଶେଷରେ ଧୈର୍ଯ୍ୟହରା ହୋଇ ପୀଡିତା ମାର୍ଚ୍ଚ ୨୦ରେ ଆତ୍ମହତ୍ୟା କରିଥିଲେ। ବଡ ଭଉଣୀର ଏଭଳି ଅବସ୍ଥା ଦେଖି ସାନ ଭଉଣୀ ଏପ୍ରିଲ ୧୧ରେ ସ୍ଥାନୀୟ ଥାନାରେ ମହୀପାଲ ସମେତ ଆଠଜଣଙ୍କ ବିରୋଧରେ ଏତଲା ଦାଏର କରିଥିଲେ। ତେବେ ପୁଲିସ ଏହାକୁ ଗୁରୁତ୍ବ ଦେଇନଥିଲା। ଧର୍ମକୁ ଆଖିଠାର ମାରି ପୁଲିସ କେବଳ ଖୋଳତାଡ କରିଥିଲେ ସୁଦ୍ଧା କାହାରିକୁ ଗିରଫ କରିନଥିଲା। ଫଳରେ ଅଭିଯୁକ୍ତଙ୍କ ସାହସ ବଢିଯାଇଥିଲା। ପରବର୍ତ୍ତୀ ସମୟରେ ମହୀପାଲ ଓ ଅନ୍ୟ ଅଭିଯୁକ୍ତମାନେ ସାନ ଭଉଣୀକୁ ଟାର୍ଗେଟ କରିଥିଲେ। ବଡ ଭଉଣୀର ଭିଡିଓକୁ ପ୍ରଘଟ କରିବା ଧମକ ଦେଇ ସେମାନେ ସାନ ଭଉଣୀକୁ ଗଣ ବଳାତ୍କାର କରିବା ଆରମ୍ଭ କରିଥିଲେ। ଶେଷରେ ଅନନ୍ୟୋପାୟ ହୋଇ ସାନ ଭଉଣୀ ଗତ ଶୁକ୍ରବାର କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

You might also like