ହାଇକୋର୍ଟ ଜାରି କଲେ ବିସ୍ତୃତ ନିର୍ଦ୍ଦେଶାବଳୀ, ଗିରଫର ୨୪ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର ବାଧ୍ୟତାମୂଳକ

ଅଭିଯୁକ୍ତଙ୍କୁ ଗିରଫ କରାଯିବାର ୨୪ ଘଣ୍ଟା ମଧ୍ୟରେ ନିକଟତମ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିବା ସାମ୍ବିଧାନିକ ତଥା ବାଧ୍ୟତାମୂଳକ । ଅନ୍ୟ ରାଜ୍ୟରୁ ଗିରଫ ହୋଇଥିଲେ ମଧ୍ୟ ପୁଲିସ ଏହି ପ୍ରକ୍ରିୟାକୁ ଏଡ଼ାଇପାରିବ ନାହିଁ । ଏକ ଜାମିନ୍ ଆବେଦନର ଶୁଣାଣି ବେଳେ ହାଇକୋର୍ଟର ବିଚାରପତି ଜଷ୍ଟିସ ଗୌରୀଶଙ୍କର ଶତପଥୀ ଏଭଳି ମତବ୍ୟକ୍ତ କରିବା ସହ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିଛନ୍ତି । ଏଭଳି ଗିରଫଦାରୀ ବେଳେ ପୁଲିସକୁ ଏଣିକି କେତେକ ନିର୍ଦ୍ଦିଷ୍ଟ ନିୟମ ପାଳନ କରିବାକୁ ପଡ଼ିବ।ହାଇକୋର୍ଟ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ, ଗିରଫ ପରେ ନିକଟତମ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଅଭିଯୁକ୍ତଙ୍କୁ ହାଜର କରିବା କେବଳ ଔପଚାରିକତା ନୁହେଁ, ଏହା ସଂପୃକ୍ତ ବ୍ୟକ୍ତିଙ୍କ ମୌଳିକ ଅଧିକାରର ସୁରକ୍ଷା ସହ ଜଡିତ । ମୌଳିକ ଅଧିକାର ଉଲ୍ଲଂଘନ କରି ହୋଇଥିବା ଗିରଫଦାରୀ ଅବୈଧ ଓ ସେପରି ପରିସ୍ଥିତିରେ ଜାମିନ ଦେବା ଅଦାଲତଙ୍କ କର୍ତ୍ତବ୍ୟ । ସମ୍ବିଧାନର ଧାରା ୨୨, ବିଏନଏସଏସର ଧାରା ୩୬, ୪୭, ୪୮, ସିଆରପିସିର ଧାରା ୪୧-ବି, ୫୦, ୫୦-ଏ ପାଳନ କରାଯିବ। ଗିରଫଦାରୀ ସମୟରେ ଗିରଫ କରୁଥିବା ଅଧିକାରୀ ସ୍ଥାନୀୟ ଥାନାର ସହାୟତା ନେବେ, ସ୍ଥାନୀୟ ପୁଲିସକୁ ଉପଯୁକ୍ତ ପୁସ୍ତିକାରେ ଗିରଫ ସମ୍ପର୍କିତ ତଥ୍ୟ ତାରିଖ, ସମୟ ଉଲ୍ଲେଖ କରିବାକୁ ଅନୁରୋଧ କରିବେ। ଗିରଫ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାର ପୁଲିସ ଅଧିକାରୀ ଓ ଅଭିଯୁକ୍ତ ରହୁଥିବା ଜିଲ୍ଲାର ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେବାକୁ ହେବ। ଗିରଫ ଅଭିଯୁକ୍ତଙ୍କୁ ସମ୍ପୃକ୍ତ ଅଦାଲତକୁ ଆଣିବା ପାଇଁ ପୁଲିସକୁ ନିକଟସ୍ଥ ମାଜିଷ୍ଟ୍ରେଟଙ୍କ ଠାରୁ ଟ୍ରାଞ୍ଜିଟ୍ ରିମାଣ୍ଡ ଆଣିବାକୁ ପଡ଼ିବ। ଗିରଫ କରୁଥିବା ଅଧିକାରୀ ତୁରନ୍ତ ଇ-ମେଲ୍ କିମ୍ବା ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଗିରଫର ତାରିଖ, ସମୟ ଏବଂ ସ୍ଥାନ ସମ୍ପର୍କରେ ସମ୍ପୃକ୍ତ କ୍ଷେତ୍ରାଧିକାରୀ ଅଦାଲତଙ୍କୁ ଜଣାଇବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶନାମାର ଏକ କପି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କୁ ଅନୁପାଳନ ପାଇଁ ପଠାଇବାକୁ ହାଇକୋର୍ଟ କହିଛନ୍ତି। ଏଥି ସହିତ ଏହି ନିର୍ଦ୍ଦେଶର କପି ରାଜ୍ୟର ସମସ୍ତ ଫୌଜଦାରୀ ମାମଲା ଶୁଣାଣି କରୁଥିବା ଅଦାଲତ, ଓଡ଼ିଶା ଜୁଡିସିଆଲ ଏକାଡେମି ଓ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବଙ୍କୁ ଉପଲବ୍ଧ କରାଯିବ। ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଭି.ଦିଲ୍ଲୀପ କୁମାରଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

You might also like