ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି: ନୀତି ଆୟୋଗର ଉପାଧ୍ୟକ୍ଷ ହେବେ ବିଜେପି ବିଧାୟକ ଅଶୋକ ଲାହିଡ଼ି !
ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପଶ୍ଚିମବଙ୍ଗ ବିଧାୟକ ଅଶୋକ ଲାହିରୀଙ୍କୁ ନୀତି ଆୟୋଗର ପରବର୍ତ୍ତୀ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଅଶୋକ ଏବେ ପଶ୍ଚିମବଙ୍ଗର ବାଲୁରଘାଟରୁ ବିଧାୟକ ଅଛନ୍ତି, କିନ୍ତୁ ଚଳିତ ବିଧାନସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରୁନାହାନ୍ତି। ସେ ଭାରତ ସରକାରଙ୍କ ଦ୍ବାଦଶ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ୨୦୦୨ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ସେ ଏହି ଦାୟିତ୍ୱ ପାଇଥିଲେ ଏବଂ ମନମୋହନ ସିଂହଙ୍କ ସରକାର ସମୟରେ ମଧ୍ୟ ୨୦୦୭ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ । ସେ କଲିକତାର ପ୍ରସିଦ୍ଧ ପ୍ରେସିଡେନ୍ସି ୟୁନିଭର୍ସିଟିରୁ ଶିକ୍ଷା ଗ୍ରହଣ କରିଛନ୍ତି । ଏହାସହ ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିକ୍ସ, ଏସୀୟ ବିକାଶ ବ୍ୟାଙ୍କ (ADB), ବିଶ୍ୱ ବ୍ୟାଙ୍କ ଏବଂ ଆଇଏମଏଫ୍ (IMF) ଭଳି ସଂସ୍ଥାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ସେ ବନ୍ଧନ ବ୍ୟାଙ୍କର ଚେୟାରମ୍ୟାନ୍ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି ।ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ଅଶୋକଙ୍କୁ ଏହି ବଡ଼ ପଦବୀ ମିଳିବା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି କୁହାଯାଉଛି।