ସରିଲା ରିମାଣ୍ଡ, ପୁଣିଥରେ ଜେଲକୁ ଫେରିଲା ରାଜା ସାହାଣୀ

ରାଜ୍ୟକାହାଣୀ ( ଭୁବନେଶ୍ୱର )ରିମାଣ୍ଡ ଅବଧି ସରିବା ପରେ ପୁଣି ଜେଲକୁ ଫେରିଲା ରାଜା ସାହାଣୀ। ଚୌଦ୍ବାର ମଣ୍ଡଳ କାରାଗାରରୁ ଚମ୍ପଟ ମାରି ପରେ ଗିରଫ ହୋଇଥିବା ରାଜା ସାହାଣୀକୁ କର୍ଣ୍ଣାଟକ ପୋଲିସ ରିମାଣ୍ଡରେ ନେଇଥିଲା । ୭ ଦିନିଆ ରିମାଣ୍ଡ ଅବଧି ସରି ଯାଇଥିବାରୁ ପୁଣି ଓଡ଼ିଶା ଜେଲକୁ ଫେରିଛି ରାଜା ସାହାଣୀ। ରାଜାକୁ ନିଜ ରାଜ୍ୟକୁ ନେଇ କର୍ଣ୍ଣାଟକ ପୋଲିସ ଜେରା କରିଛି । ଚୌଦ୍ବାର ଜେଲ୍‌ରୁ ଫେରାର ହେବା ପରେ ମହୀଶୂରରେ ଏକ ଗହଣା ସୋରୁମରୁ ୨୦ କୋଟିର ଗହଣା ଡକାୟତି ମାମଲାରେ ରାଜା ସାହାଣୀ ସଂପୃକ୍ତ ରହିଥିଲା । ଅଧିକ ପଚରା ଉଚରା କରି କର୍ଣ୍ଣାଟକ ପୁଲିସ ତାଠାରୁ ଡକାୟତି ଲିଙ୍କ୍ ଗୁମର ଖୋଲିଥବ । ଖାଲି ସେତିକି ନୁହେଁ ରାଜା ସାହାଣୀ ଠାରୁ ପୂରା କ୍ରାଇମ ସିଣ୍ଡିକେଟ ପଛରେ କେଉଁମାନେ ସବୁ ଅଛନ୍ତି, ସେନେଇ ଅଧିକ ତଥ୍ୟ କାଢ଼ି ଥାଇପାରେ କର୍ଣ୍ଣାଟକ ପୋଲିସ ।ରାଜା ସାହାଣୀ ବିହାରର ବେଗୁସରାଇ ଜିଲ୍ଲାର ଲୋହିଆନଗରର ବାସିନ୍ଦା । ଓଡ଼ିଶା ସମେତ କୋଣ୍ଟି ରାଜ୍ୟରେ ତାଙ୍କ ବିରୋଧରେ ଅନେକ ଗୁରୁତର ଅପରାଧିକ ମାମଲା ରହିଛି। ସେ ପ୍ରାୟ ୨୮ଟି ଅପରାଧିକ ମାମଲାରେ ଜଡ଼ିତ ଅଛନ୍ତି। ଏଥିରେ ଲୁଟ୍, ଡକାୟତି, ହତ୍ୟା, ଅସ୍ତ୍ରଶସ୍ତ୍ର ଅବୈଧ ଧାରଣ ଆଦି ଅନ୍ତର୍ଭୁକ୍ତ। ସେ ଏକ ଇଣ୍ଟର-ଷ୍ଟେଟ୍ ଅପରାଧିକ ଗ୍ୟାଙ୍ଗର ସଦସ୍ୟ ବୋଲି ତଦନ୍ତ ସମୟରେ ଜଣାପଡ଼ିଛି । ଏହି ଗ୍ୟାଙ୍ଗ ବ୍ୟାଙ୍କ୍ ଓ ଗହଣା ଦୋକାନ ଲୁଟ୍ କରିବାରେ ସକ୍ରିୟ ଥିଲା। ନିର୍ଜନ ଓ ନିକଟବର୍ତ୍ତୀ ସ୍ଥାନରେ ଥିବା ଗହଣା ଦୋକାନକୁ ଏହି ଗ୍ୟାଙ୍ଗ ଟାର୍ଗେଟ୍ କରୁଥିଲା। ସେ ପ୍ରାୟତଃ ନାମ, ସ୍ଥାନ ବଦଳାଇ ପୋଲିସକୁ ଫାଙ୍କି ଦେଉଥିଲେ। ୨୦୨୫ ଜାନୁଆରୀ ମାସରେ ଯାଜପୁର ଜିଲ୍ଲାର ପାଣିକୋଇଲିରେ ଏକ ଗହଣା ଦୋକାନ ଲୁଟ୍ ଘଟଣାରେ ଦୁଇ ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ରାଜା ସାହାଣୀ ଓ ତାଙ୍କ ସହଯୋଗୀ ମଧୁକାନ୍ତ ରାଣା (ମଧୁକାନ୍ତ ସିଂ)କୁ ଗିରଫ କରାଯାଇଥିଲା। ଦୁହିଁଙ୍କୁ ଚୌଦ୍ୱାର ମଣ୍ଡଳ କାରାଗାର (ଚୌଦ୍ୱାର ଜେଲ୍)ରେ ରଖାଯାଇଥିଲେ। ୨୦୨୫ ଅକ୍ଟୋବର ୨ ତାରିଖ ଦଶହରା ରାତିରେ ରାଜା ସାହାଣୀ ଓ ମଧୁକାନ୍ତ ଜେଲ୍ ପାଚେରୀ ଡେଇଁ ଫେରାର ହୋଇଥିଲେ।

You might also like