ସଂସଦ ପରିସରରେ ଗାଡ଼ିରୁ ଓହ୍ଲାଇ ରାହୁଲଙ୍କ ସହ କଥା ହେଲେ ମୋଦି
ଭାରତୀୟ ରାଜନୀତିରେ ଆଜି ସକାଳେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ମହାନ ସମାଜ ସଂସ୍କାରକ ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀ ଅବସରରେ ଦିଲ୍ଲୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପରସ୍ପରକୁ ‘ନମସ୍ତେ’ କରିବା ସହ ଦୀର୍ଘ ସମୟ ଧରି କଥାବାର୍ତ୍ତା ହୋଇଛନ୍ତି।ପ୍ରଧାନମନ୍ତ୍ରୀ ମୋଦି ଗାଡ଼ିରୁ ଓହ୍ଲାଇବା ପରେ ରାହୁଲଙ୍କୁ ଦେଖି ଅଟକି ଯାଇଥିଲେ ଏବଂ ତାଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ସାଧାରଣତଃ ପରସ୍ପରକୁ କଡ଼ା ସମାଲୋଚନା କରୁଥିବା ଏହି ଦୁଇ ନେତାଙ୍କୁ ଏକାଠି ଦେଖି ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଶୀଘ୍ର ଭାଇରାଲ ହେବାରେ ଲାଗିଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀମାନେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଜ୍ୟୋତିରାଓ ଫୁଲେଙ୍କୁ ମହିଳା ଏବଂ ଦଳିତଙ୍କ ଅଧିକାର ପାଇଁ ଲଢ଼ୁଥିବା ଜଣେ ପଥପ୍ରଦର୍ଶକ ଭାବେ ବର୍ଣ୍ଣନା କରିଥିଲେ । ସଂସଦ ଭିତରେ ଓ ବାହାରେ ସବୁବେଳେ ପରସ୍ପର ବିରୋଧରେ ବର୍ଷୁଥିବା ଏହି ଦୁଇ ନେତାଙ୍କ ମଧ୍ୟରେ ଏହି ସାମାନ୍ୟ କଥାବାର୍ତ୍ତା ରାଜନୀତିରେ ଏକ “ଭଦ୍ରତା ଓ ଏକତାର ଚିତ୍ର” ବୋଲି ଅନେକେ କହୁଛନ୍ତି ।