ରଥଯାତ୍ରାରେ ଦଳାଚକଟା, ଚାପି ହୋଇ ଚେତା ହରାଇଲେ ଶ୍ରଦ୍ଧାଳୁ

ରାଜ୍ୟ କାହାଣୀ (ଭୁବନେଶ୍ୱର )ଆଜି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଦାରୁଦିଅଁ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇଆସି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଜଗାଙ୍କ ଦର୍ଶନ ପାଇଁ ଜନସମୁଦ୍ର ହୋଇଛି ବଡ଼ଦାଣ୍ଡ। ଅନ୍ୟପକ୍ଷେ ମହାପ୍ରଭୁଙ୍କ ଦର୍ଶନ ଲାଗି ବଡ଼ଦାଣ୍ଡରେ ଠେଲାପେଲା ଗହଳି ହେବା ସହ ଲୋକେ ବ୍ୟାରିକେଡ ଭାଙ୍ଗିବାକୁ ଚେଷ୍ଟା କରୁଥିବା ନଜର ଆସିଛି। ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ନାକେଦମ ହୋଇଛି । ଏଥିରେ ଚାପି ହୋଇ ଜଣେ ଶ୍ରଦ୍ଧାଳୁ ଚେତା ହରାଇଛନ୍ତି। ଉଦ୍ଧାରକାରୀ ଦଳ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ତେବେ ରଥଯାତ୍ରାରେ ଗୁଳୁଗୁଳିକୁ ଭିତରେ ୩୭୫ ଭକ୍ତ ଅଚେତ୍‌ ହୋଇପଡ଼ିଛନ୍ତି । ପ୍ରାଥମିକ ଚିକିତ୍ସା ପାଇଁ ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଶ୍ରୀମନ୍ଦିର ଉତ୍ତର ଦ୍ଵାର ନିକଟରେ ଥିବା ହାଇଟେକ୍ ମେଡିକାଲର ଅସ୍ଥାୟୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ତେବେ ରଥଯାତ୍ରାକୁ ଆସିଥିବା ଭକ୍ତମାନେ ପ୍ରବଳ ଗୁଳୁଗୁଳିରେ ଅଚେତ୍‌ ହୋଇପଡନ୍ତି । କେତେକ ରଥଟଣା ବେଳେ ଆହତ ହୋଇଥାଆନ୍ତି । ତେଣୁ ଭକ୍ତଙ୍କ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବସ୍ଥା ସହିତ ବିଭିନ୍ନ ବେସରକାରୀ ହସ୍ପିଟାଲ ସହଯୋଗରେ ରାଜ୍ୟ ସରକାର ଭକ୍ତଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ସେବା ଯୋଗାଇବା ପାଇଁ ଅସ୍ଥାୟୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିଛନ୍ତି ।

You might also like