ଆଜିଠୁ ମହଙ୍ଗା ହେବ ଘରୋଇ ବିମାନ ଯାତ୍ରା ଭଡ଼ା

ଆଜିଠୁ ମହଙ୍ଗା ହୋଇଯିବ ଘରୋଇ ବିମାନ ଯାତ୍ରା। ବିମାନ ଭଡ଼ା ଉପରରୁ ‘କ୍ୟାପିଂ’ ହଟାଇଛନ୍ତି ସରକାର। ଆଜିଠୁ ବିମାନ ଭଡ଼ା ମୂଲ୍ୟ ସ୍ଥିର କରିବେ ବିମାନ କମ୍ପାନୀ। ଗତ ଡିସେମ୍ବର ମାସରେ ଇଣ୍ଡିଗୋ ବିମାନ ସେବାରେ ସୃଷ୍ଟି ହୋଇଥିବା ସଙ୍କଟ ଯୋଗୁଁ ଯାତ୍ରୀଙ୍କୁ ଶୋଷଣରୁ ରକ୍ଷା ପାଇଁ ସରକାର ସର୍ବାଧିକ ଭଡ଼ା ୧୮ ହଜାର ସୀମିତ ରଖିଥିଲେ। ବର୍ତ୍ତମାନ ପଶ୍ଚିମ ଏସୀୟ ସଂଘର୍ଷ, ଇନ୍ଧନ ମୂଲ୍ୟ ବୃଦ୍ଧି ଓ ବିମାନ କମ୍ପାନୀଗୁଡ଼ିକର ଆର୍ଥିକ ଚାପକୁ ଦୃଷ୍ଟିରେ ରଖି ସରକାର ଏହି କଟକଣା ପ୍ରତ୍ୟାହାର କରିଛନ୍ତି। ଫଳରେ ବିମାନ ଟିକେଟ ମୂଲ୍ୟ ବୃଦ୍ଧି ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଯଦିଓ ଭଡ଼ା କଟକଣା ଉଠାଇ ଦିଆଯାଇଛି, ମନ୍ତ୍ରଣାଳୟ ପକ୍ଷରୁ ମନଇଚ୍ଛା ଭଡ଼ା ଆଦାୟ କରିବା ବିରୁଦ୍ଧରେ ବିମାନ କମ୍ପାନୀଗୁଡ଼ିକୁ ଚେତାବନୀ ଦିଆଯାଇଛି। ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ବିମାନ କମ୍ପାନୀଗୁଡ଼ିକୁ ଦାୟିତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ ପଡିବ ଏବଂ ଯୁକ୍ତିଯୁକ୍ତ ଓ ସ୍ୱଚ୍ଛ ଭଡ଼ା ବଜାୟ ରଖିବାକୁ ପଡିବ। ପର୍ବପର୍ବାଣୀ, ଅଧିକ ଚାହିଦା କିମ୍ବା ଜରୁରୀକାଳୀନ ପରିସ୍ଥିତି ସମୟରେ ଅତ୍ୟଧିକ ଭଡ଼ା ବୃଦ୍ଧିକୁ ବରଦାସ୍ତ କରାଯିବ ନାହିଁ। ଯଦି ବିମାନ କମ୍ପାନୀଗୁଡ଼ିକ ଅଯଥାରେ ମୂଲ୍ୟ ବୃଦ୍ଧି କରନ୍ତି, ତେବେ ସରକାର ଏହାକୁ ଗମ୍ଭୀରତାର ସହ ନେବେ।

You might also like