ଅମାନିଆ ଗାଡ଼ି ଚାଳକ ସାବଧାନ। ମାର୍ଚ୍ଚ ୨୧ରୁ ହେବ ଆକ୍ସନ
ରାଜ୍ୟକାହାଣୀ ( ଭୁବନେଶ୍ୱର )ଅମାନିଆ ଗାଡ଼ି ଚାଳକ ସାବଧାନ। ମାର୍ଚ୍ଚ ୨୧ରୁ ହେବ ଆକ୍ସନ । ସଡ଼କ ନିୟମ ଉଲ୍ଲଙ୍ଘନ ବିରୋଧରେ କଡ଼ାକଡ଼ି ହେବ ଗାଡ଼ି ଯାଞ୍ଚ । ପରିବହନ ବିଭାଗ ଚଳାଇବ ସ୍ବତନ୍ତ୍ର ଅଭିଯାନ । ସାରା ରାଜ୍ୟରେ ଆରଟିଓ ଟିମ୍ କରିବେ ଏନଫୋର୍ସମେଣ୍ଟ । ସଡ଼କ ସୁରକ୍ଷା ନିୟମ ଅନୁପାଳନକୁ ଅଧିକ କଡ଼ାକଡ଼ି କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହି ଅଭିଯାନ କରାଯିବ। ନିୟମ ଉଲ୍ଲଙ୍ଘନ କରି ନିଜ ସହ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ଜୀବନ ବିପଦରେ ପକାଉଥିବା ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ସଚେତନତା ସହିତ ଚଢ଼ଉ କରାଯିବ ବୋଲି ଜଣାପଡ଼ିଛି।ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ଦୁର୍ଘଟଣାପ୍ରବଣ ସ୍ଥାନ, ଜାତୀୟ ଓ ରାଜ୍ୟ ରାଜପଥ, ଖଣି ଓ ଶିଳ୍ପାଞ୍ଚଳ, ସହର ଓ ଗାଁର ମୁଖ୍ୟ ରାସ୍ତା, ପ୍ରମୁଖ ଛକ, ବଜାର ଅଞ୍ଚଳ ଏବଂ ବସ୍ ଷ୍ଟାଣ୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ କରାଯିବ ।
ଦ୍ରୁତଗତି, ମଦ୍ୟପାନ କରି ଗାଡ଼ି ଚଳାଇବା, ବିନା ହେଲମେଟରେ, ଭୁଲ୍ ଦିଗରେ ଗାଡ଼ି ଚଲାଇବା, ଓଭରଲୋଡିଂ, ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ, ବୈଧ ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚଳାଇବା, ନାବାଳକ ଗାଡ଼ି ଚାଳନା, ଦୁଇ ଚକିଆରେ ଦୁଇରୁ ଅଧିକ ଯିବା ଏବଂ ଅନ୍ୟାନ୍ୟ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ବିରୋଧରେ କଡ଼ାକଡ଼ି ଯାଞ୍ଚ କରାଯିବ ।