ରାସ୍ତା ଖାଲଖମା ଯୋଗୁଁ ଫେରିଲା ଜୀବନ, ‘ବ୍ରେନ୍ ଡେଡ୍’ ଘୋଷିତ ମହିଳା ହେଲେ ଜୀବିତ
ଭାରତୀୟ ରାସ୍ତାରେ ଥିବା ଖାଲଖମା ସାଧାରଣତଃ ଦୁର୍ଘଟଣା ଏବଂ ମୃତ୍ୟୁର କାରଣ ସାଜିଥାଏ। ଏଥିପାଇଁ ସରକାର ଓ ପ୍ରଶାସନକୁ ନିନ୍ଦା ମଧ୍ୟ କରାଯାଏ। କିନ୍ତୁ ଉତ୍ତରପ୍ରଦେଶରେ ଏହି ଖାଲଖମା ଜଣେ ମହିଳାଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି।ଏକ ଘରୋଇ ହସ୍ପିଟାଲରେ ଡାକ୍ତରଙ୍କ ଦ୍ୱାରା ବ୍ରେନ୍ ଡେଡ୍ ବା ମସ୍ତିଷ୍କ ମୃତ ଘୋଷିତ ଜଣେ ମହିଳାଙ୍କ ମୃତଦେହକୁ ଶେଷକୃତ୍ୟ ପାଇଁ ଘରକୁ ନେଇଯାଉଥିବା ଆମ୍ବୁଲାନ୍ସ ରାସ୍ତାରେ ଏକ ଖାଲରେ ପିଟି ହୋଇଗଲା । ତା ପରେ ସେ ଜୀବିତ ଥିବାର ଲକ୍ଷଣ ଦେଖାଗଲା । ସେ ହାତ ଗୋଡ ହଲାଇଥିଲେ । ତାଙ୍କର ଶେଷକୃତ୍ୟ ପାଇଁ ସବୁ ଜିନିଷ ପ୍ରସ୍ତୁତ କରାଯାଇଥିଲା । ତାଙ୍କର ସଂପର୍କୀୟମାନେ ଦୁଃଖରେ କାନ୍ଦୁଥିଲେ । କିଛି ସମୟ ପରେ ଜଳିଥାଆନ୍ତା ତାଙ୍କର ଜୁଇ । ହେଲେ ସେ ପାଇଲେ ନୂଆ ଜୀବନ । ପୀଡ଼ିତା ମହିଳାଙ୍କ ନାମ ବିନୀତା ଶୁକ୍ଳା। ବିନୀତାଙ୍କ ସ୍ୱାମୀ କୁଲଦୀପ କୁମାର ଶୁକ୍ଳା ଏକ ଆମ୍ବୁଲାନ୍ସ ଯୋଗେ ପତ୍ନୀଙ୍କୁ ଧରି ଘରକୁ ଫେରୁଥିଲେ। ବିନୀତାଙ୍କର ହୃଦସ୍ପନ୍ଦନ କମି କମି ଯାଉଥିଲା ଏବଂ ନିଶ୍ୱାସ ପ୍ରାୟ ବନ୍ଦ ହୋଇଯାଇଥିଲା। ସବୁ ଆଶା ଛାଡ଼ି ଦେଇଥିବା କୁଲଦୀପ ନିଜ ପରିବାର ଲୋକଙ୍କୁ ଫୋନ୍ କରି ଶେଷକୃତ୍ୟ ପ୍ରସ୍ତୁତି ବାତିଲ୍ କରିବାକୁ କହିଥିଲେ। ଏହାପରେ ସେ ଆମ୍ବୁଲାନ୍ସକୁ ବୁଲାଇ ପିଲିଭିତ ସ୍ଥିତ ନ୍ୟୁରୋସିଟି ହସ୍ପିଟାଲକୁ ନେଇ ବିନୀତାଙ୍କୁ ଭର୍ତ୍ତି କରିଥିଲେ। ଡାକ୍ତର ସିଂହ କହିଛନ୍ତି ଯେ ପ୍ରାୟ ୨୪ ଘଣ୍ଟା ମଧ୍ୟରେ ରୋଗୀଙ୍କ ଅବସ୍ଥାରେ ଧୀରେ ଧୀରେ ଉନ୍ନତି ହେବାରେ ଲାଗିଛି। ତାଙ୍କୁ ଲକ୍ଷ୍ନୌର ନ୍ୟୁରୋଲୋଜି ବିଶେଷଜ୍ଞଙ୍କ ସହ ପରାମର୍ଶ ପାଇଁ ମଧ୍ୟ ପଠାଯାଇଥିଲା। ପ୍ରାୟ ୧୩ ଦିନର ଚିକିତ୍ସା ପରେ ବିନୀତା ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି ଏବଂ ଏବେ ସେ ସାଧାରଣ ଜୀବନଯାପନ କରୁଛନ୍ତି।