ଆକାଶଛୁଆଁ ଅଶୋଧିତ ତୈଳ ଦର । ୧୦୦ ଡଲାର ପାର୍ କଲା ଦର

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ବିଶ୍ୱବ୍ୟାପୀ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଛି। ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପ ଏହି ପରିସ୍ଥିତି ସମ୍ପର୍କରେ ବିବୃତି ଜାରି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଯଦି ଏହି ସ୍ଥିତି ଇରାନର ପରମାଣୁ ବିପଦକୁ ଦୂର କରିପାରିବ, ତେବେ ବର୍ତ୍ତମାନର ତୈଳ ମୂଲ୍ୟ ଆମେରିକା ତଥା ବିଶ୍ୱର ସୁରକ୍ଷା ପାଇଁ ଏହି ମୂଲ୍ୟ ବହୁତ କମ୍ ।୨୦୨୨ ପରେ ପ୍ରଥମ ଥର ପାଇଁ ତେଲ ଦର ବ୍ୟାରେଲ ପିଛା ୧୦୦ ଡଲାର ଟପିଛି । ମଧ୍ୟ-ପ୍ରାଚ୍ୟରୁ ତେଲ ଯୋଗାଣ ବାଧାପ୍ରାପ୍ତ ହେବାରୁ ଦାମ୍ ପ୍ରାୟ ୨୫ ପ୍ରତିଶତରୁ ଅଧିକ ବଢ଼ିଛି । ଆନ୍ତର୍ଜାତୀୟ ବଜାରରେ ‘ବ୍ରେଣ୍ଟ କ୍ରୁଡ୍’ ଦର ବୃଦ୍ଧି ପାଇ ବ୍ୟାରେଲ ପିଛା ପ୍ରାୟ ୧୧୬ ଡଲାରରେ ପହଞ୍ଚିଛି । ଯୁଦ୍ଧ ଜାରି ରହିଲେ ଏହା ୧୫୦ ଡଲାର ପର୍ଯ୍ୟନ୍ତ ଯାଇପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ଇରାନ ଓ ଆଖପାଖ ଦେଶଗୁଡ଼ିକରୁ ତେଲ ଆସୁଥିବା ମୁଖ୍ୟ ସାମୁଦ୍ରିକ ପଥ- Strait of Hormuz ବନ୍ଦ ଫଳରେ ସଙ୍କଟ ଦେଖାଦେଇଛି । କୁଏତ, ୟୁଏଇ ଓ ଇରାକ ଭଳି ଦେଶ ମଧ୍ୟ ତେଲ ଉତ୍ପାଦନ କମାଇବାକୁ ବାଧ୍ୟ ହୋଇଛନ୍ତି ।ଅଶୋଧିତ ତୈଳ ଦର ବୃଦ୍ଧି ସେୟାର ବଜାରକୁ ମଧ୍ୟ ପ୍ରଭାବିତ କରିଛି। ବ୍ୟବସାୟୀମାନେ ଚିନ୍ତିତ ଯେ ଦୀର୍ଘକାଳୀନ ଇନ୍ଧନ ମୂଲ୍ୟ ବୃଦ୍ଧି ମୁଦ୍ରାସ୍ଫୀତିକୁ ଆହୁରି ବୃଦ୍ଧି କରିପାରେ ଏବଂ ଅର୍ଥନୀତି ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଏହି ପରିସ୍ଥିତି ନିବେଶକ ଏବଂ ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

You might also like