ଭୁବନେଶ୍ୱର(ରାଜ୍ୟକାହାଣୀ) ଜାନୁୟାରୀ ୩ରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଧନୁ ଯାତ୍ରା l ଜାନୁୟାରୀ ୩ ରୁ ଆରମ୍ଭ ହୋଇ ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା l ଏନେଇ ଭୁବନେଶ୍ୱର ସ୍ଥିତ ପର୍ଯ୍ୟଟନ ବିଭାଗର ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଅଧ୍ୟକ୍ଷତା କରି କହିଥିଲେ ଯେ ବରଗଡ଼ ଧନୁଯାତ୍ରା ଆମର ଗର୍ବ ଓ ଗୌରବ । ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ସ୍ୱୀକୃତିପ୍ରାପ୍ତ ବରଗଡ଼ ଧନୁଯାତ୍ରା ଭଗବାନ କୃଷ୍ଣ, ତାଙ୍କ ବାଲ୍ୟଲୀଳା ଓ ତାଙ୍କ ରାକ୍ଷସ ମାମୁଁ କଂସଙ୍କ କାହାଣୀ ଉପରେ ଆଧାରିତ । ଏହି ଉତ୍ସବ ସମୟରେ ସମଗ୍ର ବରଗଡ଼ ଜିଲ୍ଲାରେ ମଥୁରା ରାଜ୍ୟରେ ପରିଣତ ହୋଇଯାଏ । ଏହାର ଆୟୋଜନ କେବଳ ବରଗଡ଼ ଜିଲ୍ଲା ପ୍ରଶାସନଙ୍କ ଦାୟିତ୍ୱ ନୁହେଁ ଏହା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ଶ୍ରୀମତୀ ପରିଡା ମତ ପ୍ରକାଶ କରିଛନ୍ତି । ବରଗଡ଼ ଧନୁଯାତ୍ରାକୁ ବିଶ୍ୱସ୍ତରରେ ପହଞ୍ଚାଇବ ପାଇଁ ଏହି ବୈଠକରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା । ଧନୁଯାତ୍ରାର ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଲଇଡ଼ି ଡିସପ୍ଲେ ମାଧ୍ୟମରେ ସିଧା ପ୍ରସାରଣ କରି ଡିଜିଟାଲ ପ୍ରସାରକୁ ବୃଦ୍ଧି କରିବା ସହ ଅତିଥି ଓ ପର୍ଯ୍ୟଟକମାନଙ୍କୁ ଏକ ସୁନ୍ଦର ଅନୁଭୂତି ପ୍ରଦାନ କରିବା ଉପରେ ଏହି ବୈଠକରେ ଆଲୋଚନା କରାଯାଇଥିଲା ।ଦେବ୍ରିଗଡ ବନ୍ୟପ୍ରାଣୀ ଅଭୟାରଣ୍ୟ, ହୀରାକୁଦ ଡ୍ୟାମ ଏବଂ ସ୍ଥାନୀୟ ହସ୍ତଶିଳ୍ପ କ୍ଲଷ୍ଟର ଓ ରାତ୍ରି ବଜାରକୁ ଆକର୍ଷଣୀୟ କରି ଏହି ଉତ୍ସବରେ ସାମିଲ କରିବା ଉପରେ ବିଶେଷ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ ଉତ୍ସାହ ଭରିବା ପାଇଁ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ଏବଂ ଲଳିତ କଳା ଏକାଡେମୀ ଭଳି ପ୍ରତିଷ୍ଠିତ ଅନୁଷ୍ଠାନଗୁଡିକର ଯୋଗଦାନ ଉପରେ ମଧ୍ୟ ଚର୍ଚ୍ଚା କରାଯାଇଥିଲା ।