ମାଓବାଦୀଙ୍କ ପାଇଁ କୋଟି କୋଟିର ପ୍ୟାକେଜ । ବନ୍ଧୁକ ବଦଳରେ ମିଳିବ କୋଟିଏ ଟଙ୍କାର ପ୍ୟାକେଜ

ଭୁବନେଶ୍ୱର (ରାଜ୍ୟକାହାଣୀ )ମାଓବାଦୀଙ୍କ ପାଇଁ କୋଟି କୋଟିର ପ୍ୟାକେଜ । ବନ୍ଧୁକ ବଦଳରେ ମିଳିବ ଟଙ୍କା । ନକ୍ସଲମୁକ୍ତ ପାଇଁ ଓଡ଼ିଶା ସରକାରଙ୍କ ନୂଆ ରୋଡ୍ ମ୍ୟାପ୍ । ଦୁଇ ମାସରେ ଦ୍ୱିତୀୟ ସଂଶୋଧିତ ପ୍ୟାକେଜ ଘୋଷଣା ହୋଇଛି। ଥଇଥାନ ପ୍ୟାକେଜ୍ ବା ପୁନର୍ବାସ ନୀତିରେ ସର୍ବଭାରତୀୟସ୍ତରର କ୍ୟାଡରଙ୍କ ପାଇଁ ନୂଆ ନିୟମ ଯୋଡ଼ାଯାଇଛି। ଆତ୍ମସମର୍ପଣର ୬୦ ଦିନ ସୁଦ୍ଧା ନକ୍ସଲଙ୍କୁ ଥଇଥାନ ସୁବିଧା ମିଳିବ। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ନୀତିରେ ମୁଣ୍ଡଜାମିନ ପୁରସ୍କାର ରାଶିକୁ ବୃଦ୍ଧି କରାଯାଇଛି । କେନ୍ଦ୍ରୀୟ କମିଟି ବା ପଲିଟବ୍ୟୁରୋ ସଭ୍ୟଙ୍କୁ ସର୍ବାଧିକ ୧.୧୦ କୋଟି ଟଙ୍କା, ରାଜ୍ୟ କମିଟି ସଭ୍ୟଙ୍କ ପାଇଁ ୫୫ ଲକ୍ଷ ଟଙ୍କା ଓ ଆଂଚଳିକ କମିଟି ସଭ୍ୟଙ୍କ ପାଇଁ ୩୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଧାର୍ଯ୍ୟ ହୋଇଛି ।ଏହାବ୍ୟତୀତ ୫ ଲକ୍ଷ ଟଙ୍କାରୁ ଅଧିକ ପୁରସ୍କାର ଥିବା ସକ୍ରିୟ ନକ୍ସଲମାନେ ଆତ୍ମସମର୍ପଣ କଲେ ସେମାନଙ୍କୁ ଅତିରିକ୍ତ ୧୦ ଲକ୍ଷ ଟଙ୍କାର ଏକକାଳୀନ ରାଶି ଫିକ୍ସଡ୍ ଡିପୋଜିଟ୍ ଆକାରରେ ଦିଆଯିବ। ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରୁଥିବା କ୍ୟାଡରଙ୍କ ପାଇଁ ସରକାର ସ୍ୱତନ୍ତ୍ର ଦର ତାଲିକା ଜାରି କରିଛନ୍ତି । ଏଲଏମଜି ବନ୍ଧୁକ ପାଇଁ ୪.୯୫ଲକ୍ଷ ଟଙ୍କା, ଏକେ-୪୭ ପାଇଁ ୩.୩୦ଲକ୍ଷ ଟଙ୍କା, ଇନସାସ୍ ବା ଏସଏଲଆର ରାଇଫଲ୍ ପାଇଁ ୧.୬୫ଲକ୍ଷ ଟଙ୍କା ଅଲଗା ଭାବେ ପ୍ରଦାନ କରାଯିବ। ଏପରିକି ଗୋଟିଏ ଗ୍ରେନେଡ୍ ପାଇଁ ୫୫୦ ଟଙ୍କା ଓ ପ୍ରତିଟି ଗୁଳି ପାଇଁ ୫୫ ଟଙ୍କାର ପୁରସ୍କାର ରଖାଯାଇଛି। କୌଣସି ଅସ୍ତ୍ର ନଥାଇ ଆତ୍ମସମର୍ପଣ କଲେ ମଧ୍ୟ ସମସ୍ତଙ୍କୁ ଅତିରିକ୍ତ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ।

You might also like