ବ୍ରହ୍ମଗିରି ବିଧାୟିକାଙ୍କ ମାଙ୍କଡ଼ ଉପାଖ୍ୟାନ, ସଞ୍ଜୟଙ୍କ ପାଲଟା ଜବାବ
ଭୁବନେଶ୍ବର (ରାଜ୍ୟ କାହାଣୀ)କୃଷ୍ଣପ୍ରସାଦ ବ୍ଲକ୍ ଅଧ୍ୟକ୍ଷା ବିଜେପିରେ ମିଶିବା ପରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ତେର୍ଚ୍ଛାବାଣ ମାରିଛନ୍ତି। ମାଙ୍କଡ଼ ଉପାଖ୍ୟାନ ରଖି ସେ କହିଛନ୍ତି, ବିଜେପିରେ ଯେମିତି ମିଶ୍ରଣ ଚାଲୁ ରହିଛି, ବିଜେଡିର ସେମିତି ନିଲମ୍ବନ ପ୍ରକ୍ରିୟା ଚାଲୁ ରହିଥିବ। ନିଲମ୍ବନ ଓ ବହିଷ୍କାର କରି ସେ ଦଳରେ ମୁଖିଆଙ୍କୁ ମିଶାଇ ମାତ୍ର ତିନିଜଣ ରହିବେ। ଜଣେ ତାମିଲନାଡୁରୁ ଆସିଛନ୍ତି। ଅନ୍ୟ ଜଣେ ଉପକୂଳିଆ ନେତା ଅଛନ୍ତି। ଆଉ ଜଣେ ନିଜେ ବିଜେଡିର ମୁଖିଆ। ଗାନ୍ଧୀଜୀଙ୍କ ତିନୋଟି ମାଙ୍କଡ଼ ଥିଲେ। ସେମାନେ ଖରାପ ଦେଖୁ ନଥିଲେ, କହୁନଥିଲେ, ଶୁଣୁନଥିଲେ। କିନ୍ତୁ ବିଜେଡି ରାଜ୍ୟର କିଛି ଭଲ ଦେଖିବ ନାହିଁ। ରାଜ୍ୟ ସରକାରଙ୍କ ବିଷୟରେ କିଛି ଭଲ ଶୁଣିବ ନାହିଁ। କିଛି ଭଲ କହିବ ନାହିଁ। ଆମେ ବାତ୍ୟା ଭଳି ଆଗେଇ ଯାଉଛୁ। ଆଉ ଅଟକିବୁ ନାହିଁ। ଏଇଟା ଥିଲା ଟ୍ରେଲର, ପୂରା ଫିଲ୍ମ ବାକି ଅଛି।ବିଧାୟିକାଙ୍କ ମନ୍ତବ୍ୟର ଉତ୍ତରରେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି, ବିଜେଡି କିଣାବିକାରେ ବିଶ୍ବାସ କରେନି। ସେଠାକାର ଜନପ୍ରତିନିଧି ପ୍ରଥମେ ବ୍ରହ୍ମଗିରିବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରନ୍ତୁ। ରାଜନୈତିକ ଚର୍ଚ୍ଚା ଆଲୋଚନା ଆଗକୁ ହେବ। ଆଗକୁ ନିର୍ବାଚନ ଆସୁଛି, ସେତେବେଳେ ମତ ମନ୍ତବ୍ୟକୁ ଗୁରୁତର ସହ ବିଚାର କରାଯିବ। ଦଳ ବିରୋଧୀ କାର୍ଯ୍ୟ ପାଇଁ ଆମ ଦଳର ସଭାପତି କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷାଙ୍କୁ ନିଲମ୍ବନ କରିଛନ୍ତି। ଏହି ନିଲମ୍ବନ ଓ ତା’ର କାରଣ ବାବଦରେ ବ୍ରହ୍ମଗିରି ଭୋଟର ଅବଗତ ଅଛନ୍ତି।