ଏଥର ବଜେଟରେ ମହାନଦୀ ପ୍ରସଙ୍ଗରେ ଉତ୍ତର ରଖିବେ ଏଜି

ଭୁବନେଶ୍ବର,( ରାଜ୍ୟ କାହାଣୀ) ଆଗକୁ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ରହିଛି । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳମାନଙ୍କ ମଧ୍ୟରେ ଏବେଠାରୁ ବଳ କଷାକଷି ଆରମ୍ଭ ହେଲାଣି । ତେଣୁ ଏଥର ବିଧାନସଭାର ବଜେଟ ଅଧିବେଶନଟି ଉଭୟ ବିରୋଧୀ ଓ ରାଜ୍ୟରେ ପ୍ରଥମ ଥର କରି ସରକାର ଗଠନ କରିଥିବା ବିଜେପି ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ହେବ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି । ତେଣୁ ଏହି ଅଧିବେଶନଟି ବେଶ ସରଗରମ ହେବ ଏବେଠୁ ଅନୁମେୟ । ମହାନଦୀ ଜଳ ବିବାଦ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରି ବିରୋଧୀ ଦଳ ସରକାରଙ୍କୁ ଅକଳରେ ପକାଇବାକୁ ସଜବାଜ ହେଉଥିବା ବେଳେ ସରକାର ମଧ୍ୟ ବିରୋଧୀଙ୍କୁ ସାମ୍ନା କରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଆପୋଷ ସମାଧାନ ନା ଟ୍ରିବ୍ୟୁନାଲ ବିତର୍କରେ ଛନ୍ଦି ହୋଇଛି ମହାନଦୀ । ତେଣୁ ଏହି ପ୍ରସଙ୍ଗରେ ଏଥର ଗୃହରେ ବଡ ହଙ୍ଗାମା ହେବା ନେଇ ଆଶଙ୍କା କରାଯାଉଛି । ସେପଟେ ସରକାର ମଧ୍ୟ ଏହି ପ୍ରସଙ୍ଗରେ ସ୍ବତନ୍ତ୍ର ବିତର୍କ ପାଇଁ ପ୍ରସ୍ତୁତି କରୁଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି । ଏପରିକି ଏଜିଙ୍କୁ ବିଧାନସଭାକୁ ଡକାଇ ବୃହତ ବିତର୍କର ବ୍ୟବସ୍ଥା ହୋଇପାରେ । ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ମୁଖ୍ୟ ବିରୋଧୀ ଦଳ ବିଜେଡି ସରକାରଙ୍କୁ ଟାର୍ଗେଟ କରିବାକୁ ଗୋଟିଏ ବି ସୁଯୋଗ ହାତଛଡା କରୁନାହିଁ । ଦଳର ବରିଷ୍ଠ ନେତାମାନେ ସାମ୍ବାଦିକ ସମ୍ମିଳନୀ କରି ଗତ ଟ୍ରିବୁନାଲ ଶୁଣାଣିରେ ଏଜିଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମରେ ଏନେଇ କଡା ଟିପ୍ପଣୀ କରିଛନ୍ତି । ମହାନଦୀକୁ ବଂଚାଇବା ପାଇଁ ଓଡ଼ିଶା ବିଜେପି ସରକାରଙ୍କ କୌଣସି ଆନ୍ତରିକତା ତଥା ପ୍ରତିବଦ୍ଧତା ନାହିଁ । ଏହାକୁ ସରକାର ଆଦୌ ଗମ୍ଭୀରତାର ସହ ନେଉ ନାହାନ୍ତି । ଖାଲି କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି ବୋଲି କହି ଆକ୍ଷେପ କରିଛନ୍ତି । ଅନ୍ୟପକ୍ଷରେ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ସୁରେଶ ପୁଜାରୀ ଏହି ପ୍ରସଙ୍ଗରେ ବାରମ୍ବାର ପୂର୍ବ ବିଜେଡି ସରକାରକୁ ପାଲଟା ଆକ୍ରମଣ କରୁଛନ୍ତି । ବିଧାନସଭା ଭିତରେ ଓ ବାହାରେ ଏହି ପ୍ରସଙ୍ଗରେ ବିର୍ତକ ପାଇଁ ସେ ବିଜେଡିକୁ ଆହ୍ବାନ କରିଛନ୍ତି ।

ବିଜେଡି ନିଜେ ହାରିବା ପାଇଁ ଘାତକ ଅସ୍ତ୍ର ତିଆରି କରି ଛତିଶଗଡ଼କୁ ଦେଇଦେଇଛି ଓ ଏବେ ନିରସ୍ତ୍ର ହୋଇ ଲଢ଼େଇ କରି ଅପଦସ୍ତ ହେଉଛି । ପୂର୍ବ ସରକାର କେଉଁ କେଉଁ ଘାତକ ଅସ୍ତ୍ର ତିଆରି କରି ଛତିଶଗଡ଼କୁ ଦେଇଛନ୍ତି ତାର ସମସ୍ତ ତଥ୍ୟ ସରକାରଙ୍କ ପାଖରେ ଅଛି ବୋଲି ସେ କହିଛନ୍ତି । ପୂର୍ବ ବିଜେଡି ସରକାରଙ୍କ ପାଖରେ ମହାନଦୀର ଜଳ ପ୍ରବାହ ନେଇ କୌଣସି ସଠିକ୍ ତଥ୍ୟ ନଥିଲା, ଯାହାକୁ ଏବେ ବିଜେପି ସରକାର ଗବେଷଣା ସେହିଭଳି ଏଥର ବିରୋଧୀଙ୍କ ହାତରେ ଆଉ ଏକ ମୁଖ୍ୟ ପ୍ରସଙ୍ଗ ଧାନ କିଣାରେ ଅବ୍ୟବସ୍ଥା । ଚଳିତ ଖରିଫ ଧାନ ସଂଗ୍ରହକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି ।

ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଣ୍ଡିରେ ଚାଷୀଙ୍କ ଦୁର୍ଦ୍ଦଶା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ତୁରନ୍ତ ସମାଧାନ ଦାବି କରିଥିବାବେଳେ ବିଜେପି ଚିହିଁକି ଉଠିଛି । ପ୍ରତିଶ୍ରୁତି ପାଳନ ଓ ବ୍ୟବସ୍ଥାଗତ ବିଫଳତାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି ।୨୦୨୪ ନିର୍ବାଚନ ସମୟରେ ବିଜେପିର ନିର୍ବାଚନୀ ଇସ୍ତାହାରର ଦୁଇ ନମ୍ବର ପଏଣ୍ଟରେ ଧାନର ସର୍ବାଧିକ ସହାୟକ ମୂଲ୍ୟ ବୃଦ୍ଧି ଓ କଟନୀ-ଛଟନୀ ସମ୍ପୁର୍ଣ୍ଣ ବନ୍ଦ କରିବା ସମ୍ପର୍କରେ ପ୍ରତିଶ୍ରୁତି ଦିଆ ଯାଇଥିଲା । ଯାହାକୁ ପୂରଣ କରିବାରେ ବିଜେପି ସରକାର ବିଫଳ ହୋଇଛନ୍ତି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି । ସରକାର ପ୍ରତିଶ୍ରୁତି ଦେଇଥିବା ସତ୍ୱେ ଆଦ୍ରତା ଓ ନିମ୍ନ ମାନର ଧାନ ଆଦି ବିଭିନ୍ନ ଆଳରେ ସେମାନଙ୍କ ଠାରୁ କ୍ୱିଣ୍ଟାଲ ପିଛା ୫ ରୁ ୭ କେଜି ପର୍ଯ୍ୟନ୍ତ କଟନୀ-ଛଟନୀ କରିବାକୁ ନେଇ ରାଜନୀତି ତେଜିଛି । ସେହିଭଳି ରାଜ୍ୟର ସବୁ ଚାଷୀ ଭାଇ ଭଉଣୀଙ୍କୁ କ୍ୱିଣ୍ଟାଲ ପିଛା ଇନପୁଟ୍‌ ସବ୍‌ସିଡି ୮୦୦ ଟଙ୍କା ଲେଖାଏଁ ଦେବା ପାଇଁ ବିଜେପି ସରକାର ଘୋଷଣା କରିଥିଲେ । କିନ୍ତୁ ନିକଟରେ ସରକାର ଏହି ସବ୍‌ସିଡି ପାଇଁ ଚାଷୀ ପିଛା ସର୍ବାଧିକ ୧୫୦ କ୍ୱିଣ୍ଟାଲ ସିଲିଙ୍ଗ୍‌ ଧାର୍ଯ୍ୟ କରିବା ପ୍ରତିଶ୍ରୁତି ଭଙ୍ଗର ଉଦାହରଣ ବୋଲି କହି ବିଜେଡି ସରକାରଙ୍କ ବିରୋଧରେ ଏହାକୁ ଅସ୍ତ୍ର କରିବାକୁ ରଣନୀତି ପ୍ରସ୍ତୁତ କରିଛି ।ସେହିଭଳି ବିରୋଧୀଙ୍କ ହାତରେ ଏଥର ଅନେକ ପ୍ରସଙ୍ଗ ରହିଛି । ନିର୍ବାଚନ ସମୟରେ ବିଜୋପି ଦେଇଥିବା ୩୦୦ ୟୁନିଟ ମାଗଣା ବିଜୁଳିକୁ ନେଇ ବିରୋଧୀ ପ୍ରଶ୍ନ କରିଆସୁଛନ୍ତି । ବିଦ୍ୟୁତ ବିତରକ କମ୍ପାନୀ ଲାଗୁ କରିଥିବା ଅତିରିକ୍ତ ଶୁଳ୍କକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିଥିଲା । ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିବେ ବୋଲି ଜଣାପଡିଛି । ଏହାଛଡା ଚିଟ ଫଣ୍ଡ ଅଡିନାନ୍ସ କରି ଫେରାଇବା ପାଇଁ ବିଜେପି ପ୍ରତିଶ୍ରୃତି ଦେଇଥିଲା, ତାହା କରାଯାଇନାହିଁ । କେବଳ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତର ବ୍ୟବସ୍ଥା ସରକାର କରିଛନ୍ତି ।

ଏହାକୁ ବିରୋଧୀ ସରକାରଙ୍କ ବିରୋଧରେ ଅସ୍ତ୍ର କରିପାରନ୍ତି । ଏହି ସବୁ ମଧ୍ୟରେ ବଜେଟ ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ବାଚନ ପ୍ରତିଶ୍ରୁତି କାର୍ଯ୍ୟର ଅଗ୍ରଗତି ତଥ୍ୟ ଲୋଡ଼ାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଭାରପ୍ରାପ୍ତ ଅଧିକାରୀ ପ୍ରସନ୍ନ କୁମାର ଷଡ଼ଙ୍ଗୀଙ୍କ ପକ୍ଷରୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ/ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ/ ସ୍ବତନ୍ତ୍ର ଶାସନ ସଚିବ (ସମସ୍ତ ବିଭାଗ)ଙ୍କୁ ଚିଠି ଲେଖାଯାଇଛି । ଏହି ଚିଠିରେ ଜଣାଇଛନ୍ତି ଯେ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଅଧିବେଶନ କାଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ବିଧାୟକମାନଙ୍କ ଦ୍ୱାରା ଧ୍ୟାନ ଆକର୍ଷଣ ପ୍ରସ୍ତାବ, ମୁଲତବୀ ପ୍ରସ୍ତାବ ଆକାରରେ ବିଧାନସଭାରେ ଆଲୋଚନା ପାଇଁ ଆଗତ କରାଯାଇପାରେ । ଏତଦ୍ ବ୍ୟତୀତ ନିର୍ବାଚନ ଇସ୍ତାହାରରେ ଯେଉଁ ସବୁ ପ୍ରତିଶୃତି ଦିଆଯାଇଥିଲା ସେ ସମ୍ବନ୍ଧରେ ମଧ୍ୟ ଆଲୋଚନା ହୋଇପାରେ । ଏହି ପରିପ୍ରେକ୍ଷୀରେ, ସମ୍ପୃକ୍ତ ବିଭାଗ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସଂକ୍ଷିପ୍ତ ବିବରଣୀ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ପଠାଇବା ପାଇଁ ଚିଠିରେ ଅନୁରୋଧ କରାଯାଇଛି ।

You might also like