ପୁଣି ମହାପ୍ରସାଦକୁ ଅପମାନ: ଡାଇନିଂ ଟେବୁଲରେ ବସି ମହାପ୍ରଭୁଙ୍କ ମହାପ୍ରସାଦ ସେବନର ଭିଡିଓ ଭାଇରାଲ
ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ବସି ମହାପ୍ରଭୁଙ୍କ ମହାପ୍ରସାଦ ସେବନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପୁରୀର ଏକ ହୋଟେଲରେ ବଙ୍ଗୀୟ ଯାତ୍ରୀ ଡାଇନିଂ ଟେବୁଲରେ ବସି ମହାପ୍ରସାଦ ସେବନ କରୁଥିବା ଘଟଣା ଜଗନ୍ନାଥ ପ୍ରେମୀଙ୍କୁ ଘୋର ଆଘାତ ଦେଇଛି।ଭକ୍ତି ଭାବର ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଯେପରି ଅକ୍ଲେଶରେ ମୁକ୍ତି ଦେଇଥାଏ, ସେହିପରି ମହାପ୍ରସାଦକୁ ଭକ୍ତିଭାବର ସହ ଦର୍ଶନ ଓ ସେବନ ମୁକ୍ତି ଦେଇଥାଏ ବୋଲି ପୌରାଣିକ ବର୍ଣ୍ଣନା ରହିଛି । ତେଣୁ ମହାପ୍ରସାଦକୁ ଉଚ୍ଚ ସ୍ଥାନ ଦେଇ ତଳେ ବସି ଶ୍ରଦ୍ଧାଳୁ ଏହାକୁ ସେବନ କରିଥାଆନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ଶ୍ରୀକ୍ଷେତ୍ରରେ ହୋଟେଲ ଶିଳ୍ପ ବଢ଼ିବା ସହ ଏଠାରେ ଅର୍ଡର ଦେଇ ଯାତ୍ରୀମାନେ ସହଜରେ ମହାପ୍ରସାଦ ପାଇପାରୁଛନ୍ତି । ଆଉ ମହାପ୍ରସାଦର ସମ୍ମାନ ପ୍ରତି ସଚେତନ ନଥିବା ଯାତ୍ରୀମାନେ ମହାପ୍ରସାଦକୁ ଅସମ୍ମାନ କରୁଛନ୍ତି । ତେବେ କେବଳ ଡାଇନିଂ ଟେବୁଲରେ ବସି ମହାପ୍ରସାଦ ସେବନ ନୁହେଁ ଚପଲ ପିନ୍ଧି ଏହାକୁ ସେବନ କରିବାକୁ ନେଇ ମଧ୍ୟ ଉଦବେଗ ପ୍ରକାଶ ପାଇଛି। ଏହା ସହ ହୋଟେଲ କର୍ମଚାରୀଙ୍କ କାର୍ଯ୍ୟକଳାପକୁ ନେଇ ମଧ୍ୟ ପ୍ରଶ୍ନବାଚର ସୃଷ୍ଟି ହୋଇଛି ।