ହାର୍ଟ ଆଟକ ରୋଗୀଙ୍କୁ ବଞ୍ଚାଇବ ‘ହାର୍ଟ ଗାର୍ଡ’ AI ମାସ୍କ
ଭୁବନେଶ୍ୱର (ରାଜ୍ୟକାହାଣୀ )ଏଣିକି ହୃଦଘାତ ଆସିବା ପୂର୍ବରୁ ମିଳିବ ଆଗୁଆ ସୂଚନା । ହୃଦଘାତରେ ମଣିଷର ଅମୂଲ୍ୟ ଜୀବନ ରକ୍ଷା କରିବ ‘ହାର୍ଟ ଗାର୍ଡ’ AI ମାସ୍କ ।ଏଭଳି ଅଭିନବ ଡିଭାଇସ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି ରେଭେନ୍ସା ବିଶ୍ଵବିଦ୍ୟାଳୟ ଆଇଟିଏମ ବିଭାଗ ତୃତୀୟ ବର୍ଷର ଝିଅ ଦେବଶ୍ରିତା ଦାସ । ରାଜ୍ୟ ସରକାରଙ୍କ ପାଖରୁ ମିଳିଥିବା ଏକ ଲକ୍ଷ ଟଙ୍କା ଏବଂ ନିଜର ପରିବାର ନିକଟରୁ ପ୍ରାୟ 20 ହଜାର ଟଙ୍କା ବିନିଯୋଗ କରି ଏହି ଡିଭାଇସ ପ୍ରସ୍ତୁତ କରିଥିବା ବେଳେ ଏହା ସମ୍ପୂର୍ଣ୍ଣ ହେବାକୁ ଆହୁରି ୫ ରୁ ୬ ଲକ୍ଷ ଟଙ୍କା ଆବଶ୍ୟକ ପଡୁଥିବା ଦେବଶ୍ରିତା କହିଛନ୍ତି । ଏହାର କାର୍ଯ୍ୟ ଶେଷ ହେବା ପରେ ଡାକ୍ତରୀ ପରୀକ୍ଷା ନିରୀକ୍ଷା କରାଯିବ । ପରେ ‘ପେଟେଣ୍ଟ’ ଅନୁମତି ମିଳିଲେ ଏହା ସାଧାରଣ ରୋଗୀଙ୍କ ପାଇଁ ବେଶ ସହାୟକ ହେବ ବୋଲି ସେ କହିଛନ୍ତି । ଦେବଶ୍ରିତାଙ୍କ ଜେଜେବାପାଙ୍କ ହୃଦଘାତରେ ଅକାଳ ବିୟୋଗ ତାଙ୍କୁ ଏହି ଯନ୍ତ୍ର ତିଆରି କରିବାକୁ ପ୍ରେରିତ କରିଥିଲା ।ହୃଦଘାତର ସମ୍ଭାବନା ଅନୁଭବ ହେଲେ ଡିଭାଇଜ୍ଟିକୁ କେବଳ ସ୍ପର୍ଶ କଲେ ଏହା ସକ୍ରିୟ ହୋଇଯାଏ । ସମ୍ପୂର୍ଣ୍ଣ ଭାବେ AI ଦ୍ୱାରା ପରିଚାଳିତ ଏହି ଡିଭାଇଜ୍ ହୃଦଘାତର ଆଲର୍ଟ ସହିତ ପୀଡ଼ିତ ବ୍ୟକ୍ତିଙ୍କ ସଠିକ୍ ଲୋକେଶନ୍ ମଧ୍ୟ ପ୍ରଦାନ କରେ । ଆଇଆଇଟି ବମ୍ବେର ଟେକ୍ନିକାଲ୍ ସହାୟତାରେ ଏହି ଡିଭାଇଜ୍ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ତେବେ ଅର୍ଥାଭାବ କାରଣରୁ ପ୍ରୋଜେକ୍ଟଟି ଆଗକୁ ବଢ଼ିବାରେ ବାଧା ସୃଷ୍ଟି ହେଉଛି ।