ଶିଶୁବାଟିକା ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୟୁନିଫର୍ମ , ୧୫ ଫେବୃଆରୀ ସୁଦ୍ଧା ବଣ୍ଟନ ଶେଷ କରିବାକୁ ଓସେପାର ନିର୍ଦ୍ଦେଶ
ଭୁବନେଶ୍ୱର (ରାଜ୍ୟକାହାଣୀ )ଶିଶୁ ବାଟିକା ପିଲାଙ୍କୁ ମିଳିବ ମାଗଣା ପୋଷାକ । ୧୫ ଫେବୃଆରୀ ସୁଦ୍ଧା ବଣ୍ଟନ ଶେଷ କରିବାକୁ ଓସେପାର ନିର୍ଦ୍ଦେଶ । ଓସେପା ଅତିରିକ୍ତ ନିର୍ଦ୍ଦେଶିକା (ସାଧାରଣ) ସଙ୍ଗୀତା ବେହେରାଙ୍କ ପକ୍ଷରୁ ଜାରି ପତ୍ର ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମିଳିବ। ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରତି ଶିଶୁ ପିଛା ୧,୦୦୦ ଟଙ୍କା ହିସାବରେ ପାଣ୍ଠି ମଞ୍ଜୁର କରାଯାଇଛି। ଏହି ଅର୍ଥରେ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ପୋଷାକ ସହିତ ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ୍, ଟୋପି ଏବଂ ପରିଚୟ ପତ୍ର ପ୍ରଦାନ କରାଯିବ। ୟୁନିଫର୍ମ ବଣ୍ଟନ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସ୍କୁଲ ପରିଚାଳନା କମିଟିକୁ ଦାୟିତ୍ୱ ମିଳିଛି । ଏହି କାମ ତଦାରଖ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇଛି । କେବଳ ସେତିକି ନୁହେଁ, ପୋଷାକର ରଙ୍ଗ, ଲୋଗୋକୁ ଦୃଷ୍ଟି ଦେବାକୁ ପଡିବ । ଯେପରିକି ସେଥିରେ ତ୍ରୁଟି ନ ରୁହେ ସେଥିପ୍ରତି ଯତ୍ନବାନ ହେବାକୁ ଓସେପା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି।ଏହି କାର୍ଯ୍ୟକ୍ରମକୁ ‘ଅତି ଜରୁରୀ’ ବିଭାଗରେ ରଖାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ (DPC) ମାନେ ଏହି ବଣ୍ଟନ ପ୍ରକ୍ରିୟାର ସିଧାସଳଖ ତଦାରଖ କରିବେ।