ରାହୁଲ ଗାନ୍ଧି, ଖଡଗେଙ୍କୁ ୧୦୦ କୋଟିର ମାନହାନୀ ନୋଟିସ

କଂଗ୍ରେସକୁ ଏକ ଲିଗାଲ୍ ନୋଟିସ୍ ପଠାଇଛନ୍ତି ମହାରାଷ୍ଟ୍ର ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୁପ୍ରିୟା ଶ୍ରୀନେଟ ଏବଂ ରାହୁଲ ଗାନ୍ଧିଙ୍କୁ ଏହି ନୋଟିସ୍ ପଠାଇଛନ୍ତି। ତାଙ୍କ ବିରୁଦ୍ଧରେ ଭୋଟ୍ ପାଇଁ ଟଙ୍କା ବାଣ୍ଟିଥିବାର ମିଛ ଅଭିଯୋଗ ଆଣିବା ଉପରେ ସେ କ୍ଷମା ମାଗିବାକୁ କହିଛନ୍ତି, ନଚେତ୍ ୧୦୦ କୋଟି ଟଙ୍କାର ମାନହାନୀ ମାମଲାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ତାୱଡେ |କଂଗ୍ରେସ ନେତାଙ୍କୁ ଜାରି ହୋଇଥିବା ନୋଟିସର କପି ସେୟାର କରି ବିଜେପି ସାଧାରଣ ସମ୍ପାଦକ ଏକ୍ସରେ ଲେଖିଛନ୍ତି, “କଂଗ୍ରେସର ଏକମାତ୍ର କାମ ହେଉଛି ମିଥ୍ୟା ପ୍ରଚାର କରିବା। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଏବଂ ଦଳର ମୁଖପାତ୍ର ସୁପ୍ରିୟା ଶ୍ରୀନେତ ଏହି ମାମଲାରେ ମିଥ୍ୟା ପ୍ରଚାର କରି ମୋର ଏବଂ ଭାରତୀୟ ଜନତା ପାର୍ଟିର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଥିବାରୁ ମୁଁ ତାଙ୍କୁ ମାନହାନୀ ନୋଟିସ୍ ପଠାଇଛି। ସତ କଥା ହେଉଛି ନିର୍ବାଚନ କମିଶନ ଓ ପୋଲିସର ତଦନ୍ତରେ ୫ କୋଟି ଟଙ୍କା ମିଳିନଥିବା ସମସ୍ତଙ୍କ ସାମ୍ନାରେ ରହିଛି । ଏହି ମାମଲା କଂଗ୍ରେସର ନିମ୍ନସ୍ତରର ରାଜନୀତିର ପ୍ରମାଣ।“ ସୂଚନାମୁତାବକ ମଙ୍ଗଳବାର ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ପଡ଼ିବାର ଦିନକ ପୂର୍ବରୁ ହାଇଡ୍ରାମା ଦେଖିବାକୁ ମିଳିଥିଲା। ପାଲଘର ଜିଲ୍ଲାର ଏକ ହୋଟେଲରେ ତାୱଡେ ସ୍ଥାନୀୟ ପ୍ରାର୍ଥୀଙ୍କୁ ୫ କୋଟି ଟଙ୍କା ଦେଇଥିବା ବାହୁଜନ ବିକାଶ ଆଗାଡି (BVA) ନେତା ହିତେନ୍ଦ୍ର ଠାକୁର ଅଭିଯୋଗ କରିଥିଲେ।

ତାୱଡେ ଏସବୁ ଟଙ୍କା ଭୋଟ୍ ପାଇଁ ବାଣ୍ଟିଥିବା ଅଭିଯୋଗ ଆଣିଥିଲେ ଠାକୁର। ଏହି ସମୟର କିଛି ଭିଡିଓ ଭାଇରାଲ୍ ହେବା ପରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ନେତା ତାୱଡେଙ୍କୁ ଘେରିଥିଲେ। ଏହାପରେ ନିର୍ବାଚନ ଆୟୋଗ ମଧ୍ୟ ତାୱଡେଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ କରିଥିଲେ।

Leave A Reply

Your email address will not be published.

five × 2 =