୪ ଛାତ୍ର ପୋଡ଼ିଯିବା ଘଟଣା: ଶିକ୍ଷକଙ୍କ ଦରମା ବନ୍ଦ

ଭୁବନେଶ୍ୱର (ରାଜ୍ୟକାହାଣୀ )ନିଆଁରେ ପୋଡ଼ିହୋଇ ୪ ଛାତ୍ର ଗୁରୁତର ହେବା ଘଟଣା । ରାୟଗଡ଼ା ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହା ପରେ ସେ ଶିକ୍ଷକଙ୍କ ଦରମା ବନ୍ଦ କରିବା ସହ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି । ଏସ୍‌ଡିପିଓଙ୍କ ସହିତ ଏକ ପୋଲିସ ଟିମ ପକ୍ଷରୁ ଶିକ୍ଷକ ଓ ଛାତ୍ରଙ୍କୁ ପଚରାଉଚରା ଚାଲିଛି । ସୂଚନାଯୋଗ୍ୟ, ଗତକାଲି ୪ ଛାତ୍ରଙ୍କ ଉପରେ ଥିନର୍ ଢାଳି ନିଆଁ ଲଗାଇ ଦେଇଥିଲେ ଆଉ ଜଣେ ଛାତ୍ର । ପୋଡିହୋଇ ୪ ଛାତ୍ର ଗୁରୁତର ଆହତ ହୋଇଥିଲେ । ନିଆଁ ଲାଗିବା ପରେ ତୁରନ୍ତ ଗୁରୁତର ଛାତ୍ରମାନଙ୍କୁ ବିଷମକଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଛାତ୍ରଙ୍କ ଚିକିତ୍ସା ଚାଲିଛି । ଗୁରୁତରଙ୍କ ମଧ୍ୟରେ ୩ ଜଣ ସପ୍ତମ ଓ ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି । ଥିନର ଢାଳି ନିଆଁ ଲଗାଇବାର କାରଣ ଅସ୍ପଷ୍ଟ ରହିଛି । ଏହି ଘଟଣାରେ ତଦନ୍ତ ଚାଲିଛି । ତେବେ ଆଜି ଏହି ଘଟଣାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ଗୁରୁତର ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି । ଘଟଣାର ତଦନ୍ତ ଚାଲିଛି, ଏଥିପାଇଁ ଯିଏ ଦୋଷୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

You might also like