ଭୁବନେଶ୍ୱର(ରାଜ୍ୟକାହାଣୀ) ଦକ୍ଷିଣ ପୂର୍ବ ଦିଲ୍ଲୀର ଏଟିଏସ୍ ପୋଲିସ ଓଡ଼ିଶାର ପୁରୀ ଜିଲ୍ଲାର ଜଣେ ମାନସିକ ଅସୁସ୍ଥ ଯୁବତୀଙ୍କ ସହ ଗଣଦୁଷ୍କର୍ମ ମାମଲାର ପର୍ଦ୍ଦାଫାଶ କରିଛି। ଏହି ସମ୍ବେଦନଶୀଳ ମାମଲାରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଘଟଣାରେ ୨୧ ଦିନ ପରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ ।
ପୀଡ଼ିତା ଏବେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ଗତ ଅକ୍ଟୋବର ୧୧ ତାରିଖରେ ରାସ୍ତା କଡ଼ରୁ ମୁର୍ମୁଷୁ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ଭୋର ପ୍ରାୟ ୩ଟା ୩୦ରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ପୋଲିସ ମହିଳାଙ୍କୁ ଏମ୍ସରେ ଭର୍ତ୍ତି କରିଥିଲା। ତେବେ ଅଭିଯୁକ୍ତମାନଙ୍କଠୁ ପୋଲିସ ଅଟୋ-ରିକ୍ସା, ରକ୍ତ ରଞ୍ଜିତ ପୀଡ଼ିତା ପୋଷାକ ଓ ଘଟଣା ସମୟରେ ଅଭିଯୁକ୍ତଙ୍କ ଦ୍ଵାରା ପିନ୍ଧିଥିବା ପୋଷାକ ଜବତ କରିଛି।ପୋଲିସ ୨୧ ଦିନର ପରିଶ୍ରମ ଓ ୭୦୦ରୁ ଅଧିକ ସିସିଟିଭି କ୍ୟାମେରା ଯାଞ୍ଚ କରି ଓ ୧୫୦ରୁ ଅଧିକ ଅଟୋ ରିକ୍ସାର ତଲାସି ପରେ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି। ପୀଡ଼ିତା ଓଡ଼ିଶାର ପୁରୀ ଜିଲ୍ଲାର ଏବଂ ଦିଲ୍ଲୀରେ ଜଣେ ସାମାଜିକ କର୍ମୀ ଭାବେ କାମ କରୁଥିଲେ। ସେ ମାନସିକ ଭାବେ ଅସୁସ୍ଥ ଥିଲେ ଓ ନିଜ ପରିବାରଙ୍କ ସହ ଯୋଗାଯୋଗରେ ନ ଥିଲେ।