ଗର୍ଭବତୀଙ୍କୁ ପୁଲିସର ଦୁର୍ବ୍ୟବହାର, ଏସପିଙ୍କ ନିକଟରେ ପୋଲିସ ନାଁରେ ଆକ୍ରୋଶମୂଳକ ଅଭିଯୋଗ 

ଭୁବନେଶ୍ୱର(ରାଜ୍ୟକାହାଣୀ) ରାୟଗଡ଼ାରେ ଗତ ୧୭ ତାରିଖ ରାତିରେ ଜୁଆ ଆଡ୍ଡା ଚଢ଼ାଉ ପାଇଁ ଯାଇ ପୁଲିସ ଜଣେ ଗର୍ଭବତୀ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ମଙ୍ଗଳବାର ଜଣେ ମହିଳା ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ରାୟଗଡ଼ା ସହର ବ୍ରାହ୍ମଣ ସାହିର ସୁନୀଲ ପାଢ଼ୀଙ୍କ ପତ୍ନୀ ଶ୍ରାବଣୀ କୁମାରୀ ଜେନା ଏହି ଅଭିଯୋଗ କରିଛନ୍ତି। ଲିଖିତ ଭାବେ ରାୟଗଡ଼ା ଥାନା ଆଇଆଇସି କେକେବିକେ କହଁର, କନେଷ୍ଟବଳ ବିଜୟ କୁମାର ସାହୁ ଓ ବିଜୟ କୁମାର ଝୋଡିଆଙ୍କ ନାମରେ କରିଛନ୍ତି। ଏସପି ସ୍ୱାତୀ ଏସ କୁମାର ଅଭିଯୋଗ ଗ୍ରହଣ କରିବା ସହିତ ଏହାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଅଭିଯୋଗ କରିବା ପାଇଁ ଆସିଥିବା ଗର୍ଭବତୀ ଶ୍ରାବଣୀ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା। ଦୀର୍ଘ ସମୟଧରି ସେ ଯନ୍ତ୍ରଣା ଭୋଗିବା ପରେ ସାଥିରେ ଆସିଥିବା ତାଙ୍କ ସ୍ୱାମୀ ଓ ଜଣେ ସମ୍ପର୍କୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ଘରେ ପଶି ଜଣେ ଗର୍ଭବତୀ ମହିଳାଙ୍କୁ ଦୁର୍ବ୍ୟବହାର କରିବା ନେଇ ପୁଲିସକୁ ନିନ୍ଦା କରାଯାଇଛି। ପୁଲିସର ଏହିଭଳି କାର୍ଯ୍ୟ ପାଇଁ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଶ୍ରାବଣୀ। ତେବେ ଏସପି କ୍ୟାମେରା ସମ୍ମୁଖରେ କିଛି କହିବା ପାଇଁ ମନା କରିଥିଲେ। ଏହି ଘଟଣାର ତଦନ୍ତ ପାଇଁ ରାୟଗଡା ଏସଡିପିଓ ରଶ୍ମିରଞ୍ଜନ ସେନାପତିଙ୍କୁ ତଦନ୍ତଭାର ଦିଆଯାଇଥିବା ଜଣାପଡ଼ିଛି । ଏସଡିପିଓ ମାମଲାର ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି । ତେବେ ଏ ସମ୍ପର୍କରେ ରାୟଗଡ଼ା ଟାଉନ ଥାନା ଆଇଆଇସି କେକେବିକେ କହଁରଙ୍କୁ ପଚାରିବାରୁ ଜୁଆ ଆଡ୍ଡା ଚଢ଼ାଉକୁ ନେଇ ଆକ୍ରୋଶମୂଳକ ଭାବେ ପୋଲିସ ନାଁରେ ଏହିଭଳି ମିଥ୍ୟା ଅଭିଯୋଗ କରାଯାଇଛି ଏବଂ ପୋଲିସ ସର୍ବଦା ମହିଳାଙ୍କୁ ସମ୍ମାନ ଦେଇଥାଏ ବୋଲି କହିଛନ୍ତି ଆଇଆଇସି କହଁର । ତାଙ୍କ କହିବାନୁସାରେ ଏହି ଚଢ଼ାଉ ବେଳେ କିଛି ଜୁଆଡ଼ିଙ୍କୁ ପୋଲିସ ଧରିଥିବା ବେଳେ ସେଠାକାର କିଛି ଯୁବକ ପୋଲିସକୁ ଧକ୍କା ଦେବା ସହିତ ମାଡ଼ ମାରି ସେମାନଙ୍କୁ ପୋଲିସ କବଳରୁ ଖସାଇ ନେଇଥିଲେ । ଏହାପରେ ପୋଲିସ ସେଠାରୁ ଖାଲି ହାତରେ ଫେରିଆସିଥିଲା । ପରବର୍ତି ସମୟରେ ବ୍ରାହ୍ମଣ ସାହି ସ୍ଥିତ ଦୁର୍ଗା ମଣ୍ଡପ ଠାରେ ଲାଗିଥିବା ସିସି କ୍ୟାମେରା ଫୁଟେଜ ପାଇଁ ପୋଲିସ ଯାଇଥିବା ବେଳେ ଉକ୍ତ ସିସି କ୍ୟାମେରାର ଡିସ୍କକୁ ସେଠାକାର ଯୁବକମାନେ ଗାଏବ କରିଦେଇଥିବା କହିଛନ୍ତି ଆଇଆଇସି କହଁର ।

Leave A Reply

Your email address will not be published.

eight + 12 =