୧୦ ଦିନ ପରେ ବି STFର ହାତ ଖାଲି,ମହାରାଷ୍ଟ୍ରରୁ ମିଜୋରାମ ଯାଏଁ ରାକେଟ୍ ଲିଙ୍କ୍ ନେଇ ତଦନ୍ତ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଓଡ଼ିଶାରେ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାକୁ ୧୦ଦିନ ବିତିଲା। ଚାଲାଣକାରୀ କିମ୍ବା ଚାଲାଣ ପଛର ରହସ୍ୟ ଫିଟି ପାରିନି । କ୍ରାଇମ୍ ବ୍ରାଞ୍ଚ STF କିମ୍ବା ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଏନେଇ କିଛି ଠୋସ୍ ତଥ୍ୟ ହାତେଇ ପାରିନାହାନ୍ତି। ପ୍ରାଥମିକ ତଦନ୍ତରୁ ଦୀଘାର ଗ୍ରାଣ୍ଡ ହେରିଟେଜ୍‌ ହୋଟେଲ୍‌ର ମାଲିକ ଓ ତାଙ୍କ ପୁଅ ମୁଖ୍ୟ ସନ୍ଦିଗ୍ଧ ରହିଛନ୍ତି । ତେବେ ତଦନ୍ତ ଆଗକୁ ବଢ଼ିବା ସହ ନୂଆ ତଥ୍ୟ ସାମନାକୁ ଆସୁଛି। ଏସ୍‌ଟିଏଫ୍‌ ସୂଚନା ଅନୁସାରେ, ଇଣ୍ଡୋନେସିଆ କିମ୍ବା ମାଲେସିଆରୁ ମ୍ୟାମାର ଦେଇ ସମୁଦ୍ରପଥରେ ଓରାଂଉଟାନ୍‌ ଶାବକଗୁଡ଼ିକୁ ଭାରତ ଅଣାଯାଇଥିଲା । ପରେ ମିଜୋରାମ, ଆସାମ ଓ ପଶ୍ଚିମବଙ୍ଗ ଦେଇ ସେଗୁଡ଼ିକୁ ଦୀଘାର ହେଲିପ୍ୟାଡ୍‌ ନିକଟସ୍ଥ ଗ୍ରାଣ୍ଡ ହେରିଟେଜ୍‌ ହୋଟେଲ୍‌କୁ ପହଞ୍ଚାଯାଇଥିଲା ।

ସେଠାରୁ ଅନ୍ୟ ଏକ ଗାଡ଼ିରେ ମହାରାଷ୍ଟ୍ର ପଠାଇବା ପାଇଁ ଡିଲ୍‌ ହୋଇଥିବା କୁହାଯାଉଛି । କିନ୍ତୁ ଗ୍ରାହକ ନ ପହଞ୍ଚିବା ଏବଂ ଯୋଗାଯୋଗ ସମ୍ଭବ ନ ହେବାରୁ ଚୋରା ଚାଲାଣକାରୀମାନେ ଓରାଂଉଟାନ୍‌ ଶାବକଗୁଡ଼ିକୁ ବିଚିତ୍ରପୁର ହେନ୍ତାଳ ବଣ ଭଳି ସନ୍ତସନ୍ତିଆ ଅଞ୍ଚଳରେ ଓରାଙ୍ଗଉଟାନ୍ ଶାବକଗୁଡ଼ିକ ଲୁଚାଇ ରଖିବା ଯୋଜନା ଥିଲା। କିନ୍ତୁ ଧରାପଡ଼ିବା ଭୟରେ ତସ୍କର ୫ ଶାବକଙ୍କୁ ଚନ୍ଦନେଶ୍ୱର-ଭୂଷଣ୍ଡେଶ୍ଵର ରାସ୍ତାକଡ଼ ଝାଉଁ ଜଙ୍ଗଲରେ ଛାଡ଼ି ପଶ୍ଚିମବଙ୍ଗ ଅଭିମୁଖେ ପଳାଇ ଯାଇଥିଲେ। ଜଣେ ବନ୍ୟ ନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା ମୁତାବକ, ଝାଉଁ ଜଙ୍ଗଲରୁ ଉଦ୍ଧାର କରାଯିବା ଦିନ ୪ଟି ଶାବକ ଅସୁସ୍ଥ ହୋଇପଡ଼ିଥିଲେ। ଗୋଟିଏ ମାଈ ଶାବକକୁ ଜ୍ଵର ହୋଇଥିଲା । ଅନ୍ୟ ୩ଟିକୁ ଥଣ୍ଡା ଲାଗି ରହିଥିଲା । ଏହା ପଛର ଏକମାତ୍ର କାରଣ ହେଉଛି ଏମାନଙ୍କୁ ଦୀର୍ଘ ସମୟ ଧରି ପ୍ରାକୃତିକ ପରିବେଶଠାରୁ ଦୂରେଇ ରଖିବା। ହୋଟେଲରେ ଶାବକଗୁଡ଼ିକୁ କିଛି ଦିନ ଧରି ରଖାଯାଇଥିବା ତଥ୍ୟ ଯୋଗାଇଛି STF ।

You might also like