ୟୁପି ମୁଖ୍ୟମନ୍ତ୍ରୀଙ୍କ ୩ ଘଣ୍ଟାରେ ୨ ରିଲ୍ସ ପୋଷ୍ଟ, ଜେନ୍ ଜି’ଙ୍କୁ ଟାର୍ଗେଟ୍
ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି, ଆଉ ଏବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୋସିଆଲ ମିଡିଆରେ ନୂଆ ଅନ୍ଦାଜରେ ନଜର ଆସିଛନ୍ତି ଯୋଗୀ । ମାତ୍ର ୩ ଘଣ୍ଟା ମଧ୍ୟରେ ଦୁଇଟି ରିଲ୍ସ ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଏହି ସେଲଫି-ଶୈଳୀର ରିଲ୍ସରେ ବାବା ନୀବ କରୋରିଙ୍କ ପବିତ୍ର ଭୂମି ଫାରୁଖାବାଦକୁ ପ୍ରଣାମ କରି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ସେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶ ମାର୍ଗରେ ସର୍ଭେ କରିବେ।
ରିଲ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ବନ୍ୟା ପରିସ୍ଥିତିର ସମୀକ୍ଷା କରାଯିବ। ଆମେ ଲୋକଙ୍କୁ ଭେଟିବୁ ଏବଂ ରିଲିଫ ସାମଗ୍ରୀ ବଣ୍ଟନ କରିବୁ। ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରତ୍ୟେକ ଆବଶ୍ୟକୀୟ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା ନିଶ୍ଚିତ ହେବ। ‘ଡବଲ-ଇଞ୍ଜିନ’ ସରକାର ଲୋକଙ୍କ ସହିତ ଠିଆ ହୋଇଛି।ଏପଟେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ବ୍ରଜବାସୀଙ୍କୁ ବଡ଼ ବିକାଶ ଉପହାର ଦେବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟନାଥ । ମଥୁରା ଗସ୍ତ ସମୟରେ ପ୍ରାୟ ୧,୦୫୧ କୋଟି ଟଙ୍କାର ୨୨୯ଟି ବିକାଶ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯିବ । ଏଥିରେ ୫୪୦ କୋଟିରୁ ଅଧିକ ଟଙ୍କାର ୬୨ଟି ପ୍ରକଳ୍ପର ଉଦଘାଟନ ହେବ । ଏହି ପ୍ରକଳ୍ପଗୁଡ଼ିକ ମଥୁରାର ଭିତ୍ତିଭୂମି ଓ ପର୍ଯ୍ୟଟନ ବିକାଶରେ ସହାୟକ ହେବ । ସେହିପରି ୪୩୭ କୋଟି ଟଙ୍କା ବ୍ୟୟରେ ୧୬୭ଟି ନୂଆ ପ୍ରକଳ୍ପର ଶିଳାନ୍ୟାସ କରାଯିବ ।