ହୋର୍ମୁଜ୍ ପ୍ରଣାଳୀ ନିକଟରେ ଭାରତୀୟ ଜାହଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ
ଓମାନ ଉପକୂଳ ନିକଟରେ ଏକ ଭାରତୀୟ ଜାହାଜ ଉପରେ ହୋଇଥିବା ମିସାଇଲ ଆକ୍ରମଣକୁ ନେଇ ଭାରତ କଡ଼ା ଅସନ୍ତୋଷ ପ୍ରକାଶ କରିଛି। ବୈଦେଶିକ ମନ୍ତ୍ରାଳୟ ଏହି ଘଟଣାକୁ ଅଗ୍ରହଣୀୟ ବୋଲି କହିବା ସହ ଆନ୍ତର୍ଜାତୀୟ ସାମୁଦ୍ରିକ ବ୍ୟାପାର ଏବଂ ସାଧାରଣ ନାବିକମାନଙ୍କୁ ଟାର୍ଗେଟ୍ କରିବା କୌଣସି ପରିସ୍ଥିତିରେ ଗ୍ରହଣ କରାଯାଇପାରିବ ନାହିଁ ବୋଲି କହିଛି। ସୂଚନାମୁତାବକ ଗୁଜରାଟର ଏହି ଜାହାଜ ହାଜି ଅଲି ଓମାନ୍ ଉପକୂଳ ନିକଟରେ ପହଞ୍ଚିବା ପରେ ହଠାତ ସନ୍ଦେହଜନକ ଭାବେ ଡ୍ରୋନ୍ ମାଡ ହୋଇଥିଲା ।ଘଟଣାସ୍ଥଳରେ ହିଁ ଜାହାଜ ବୁଡିଯାଇଥିଲା । ଗତକାଲି ରାତି ପ୍ରାୟ ୩ଟା ୩୦ରେ ଜାହାଜ ଉପରେ ଆକ୍ରମଣ ହୋଇଥିଲା । ଜାହାଜଟି ସୋମାଲିଆର ବରବେରା ପୋର୍ଟରୁ ଶାରଜାହ୍ ଆଡ଼କୁ ପଶୁ ସମ୍ପଦ ବୋଝେଇ କରି ଯାଉଥିଲା । ଆକ୍ରମଣ ପରେ ଜାହାଜରେ ଭୟଙ୍କର ନିଆଁ ଲାଗିଥିଲା । ଜାହାଜରେ ଥିବା ସମସ୍ତ ୧୪ ଜଣ ଭାରତୀୟ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି । ବାଣିଜ୍ୟିକ ଜାହାଜ ଓ ନାଗରିକଙ୍କୁ ଲକ୍ଷ୍ୟ କରି ଚାଲିଥିବା ଆକ୍ରମଣକୁ ଦୁର୍ଭାଗ୍ୟଜନକ ବୋଲି କହିଛି ବୈଦେଶିକ ମନ୍ତ୍ରାଳୟ ।ତେବେ ଭାରତ ସରକାର ନିଜ ବିବୃତ୍ତିରେ ଏହା ସ୍ପଷ୍ଟ କରିନାହାନ୍ତି ଯେ ଜାହାଜ ଉପରେ ଆକ୍ରମଣ କିଏ କରିଛି। କିନ୍ତୁ ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ହୋର୍ମୁଜ୍ ଷ୍ଟ୍ରେଟ୍ ଆଖପାଖରେ ପରିସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇ ରହିଛି। ପଶ୍ଚିମ ଏସିଆରେ ଜାରି ରହିଥିବା ଉତ୍ତେଜନା, ଇରାନ-ଆମେରିକା ମୁହାଁମୁହିଁ ସ୍ଥିତି ଏବଂ ସାମୁଦ୍ରିକ ମାର୍ଗରେ ବଢୁଥିବା ବିପଦ କାରଣରୁ ଏହି ଅଞ୍ଚଳରେ ବୈଶ୍ୱିକ ଚିନ୍ତା କ୍ରମାଗତ ଭାବେ ବଢୁଛି।