ସ୍କୁଲ ଏକାଡେମିକ୍ କ୍ୟାଲେଣ୍ଡର ଜାରି, ରବିବାରକୁ ମିଶାଇ ମୋଟ ୧୩୫ ଦିନ ଛୁଟି
ଭୁବନେଶ୍ୱର (ରାଜ୍ୟକାହାଣୀ )ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶ ପାଇଛି । ଏଥିରେ କାର୍ଯ୍ୟଦିବସଠୁ ଆରମ୍ଭ କରି ଛୁଟି, ପରୀକ୍ଷା ସମୟ ଆଦି ପ୍ରକାଶ କରାଯାଇଛି ।ଚଳିତ ଶିକ୍ଷାବର୍ଷରେ ୫୨ଟି ରବିବାର ରହିଛି । ଏଥିସହ ୮୧ଟି ପୂଜା ଓ ବିଭିନ୍ନ ଛୁଟି ରହିଛି । ଏଥିସହ ଅତିରିକ୍ତ ୨ଟି ଛୁଟି ମଧ୍ୟ ରଖାଯାଇଛି । ୨୩୦ଟି କାର୍ଯ୍ୟଦିବସ ରହିଛି । ମେ ୬ରୁ ଖରାଛୁଟି କରାଯିବ । ଜୁନ୍ ୧୭ ତାରିଖ ଯାଏ ସ୍କୁଲ ଖରା ପାଇଁ ବନ୍ଦ ରହିବ । ଶିକ୍ଷା କ୍ୟାଲେଣ୍ଡରକୁ ପାଳନ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି । ତେବେ କ୍ୟାଲେଣ୍ଡର ଅନୁଯାୟୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ପିଲାଙ୍କର ଫେବ୍ରୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ପାଠପଢ଼ା କାର୍ଯ୍ୟ ଶେଷ ହେବ । ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରୁ ପଢ଼ା ଯାଇଥିବା ପାଠର ରିଭିଜନ ହେବ । ମାର୍ଚ୍ଚ ତୃତୀୟ ସପ୍ତାହରୁ ସମେଟିଭ୍ ଆସେସ୍ମେଣ୍ଟ-୨ ପରୀକ୍ଷା ହେବ । ହାଇସ୍କୁଲ ପାଇଁ (ନବମ ଓ ଦଶମ ଶ୍ରେଣୀ) ଜାରି ହୋଇଥିବା କ୍ୟାଲେଣ୍ଡର ଅନୁଯାୟୀ, ଉଭୟ ନବମ ଓ ଦଶମ ଶ୍ରେଣୀର ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଅର୍ଦ୍ଧବାର୍ଷିକ ପରୀକ୍ଷା ହେବ । ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ପାଠପଢ଼ା ଶେଷ ହେବ । ଜାନୁଆରୀ ଦ୍ୱିତୀୟ ସପ୍ତାହରୁ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ଯାଏ ପାଠପଢ଼ା ରିଭିଜନ ହେବ । ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ ।