ସୁରକ୍ଷା ନଦେଲେ ଆମେ ଆତ୍ମହତ୍ୟା କରିବୁ- ସୌମ୍ୟାଶ୍ରୀଙ୍କ ଭାଈ
ରାଜ୍ୟ କାହାଣୀ (ଭୁବନେଶ୍ୱର )ବାଲେଶ୍ୱରରେ ଏଫଏମ କଲେଜ ଛାତ୍ରୀଙ୍କ ମୃତ୍ୟୁ ପରେ ରାଜନୀତି ସରଗରମ ହୋଇଛି । ବିରୋଧି ଦଳ ନ୍ୟାୟ ଦାବିରେ ଆନ୍ଦୋଳନ ସହ କୁଶପୁତ୍ତଳିକା ଦାହ କରୁଛନ୍ତି । ଆଜି କଂଗ୍ରେସ ଛାତ୍ରୀଙ୍କୁୁ ନ୍ୟାୟ ଦାବିରେ ଓଡିଶା ବନ୍ଦ ଡାକରା ଦେଇଛି । ସେପଟେ ସୌମ୍ୟାଶ୍ରୀଙ୍କ ଭାଇ ସୌମ୍ୟରଞ୍ଜନ ବିଶି ଭୋଗରାଇ ଥାନାରେ ଏତଲା ଦେଇ ଲେଖିଛନ୍ତି ଯେ ମୋ ଭଉଣୀ ସୌମ୍ୟାଶ୍ରୀ ବିଶିର ମୃତ୍ୟୁକୁ ନେଇ କିଛି ଲୋକ ନିକୃଷ୍ଟ ରାଜନୀତି କରିବା ସହ ଆମ ପରିବାରକୁ ନାନା ଭାବରେ ଅତ୍ୟାଚାର ଓ ଅପମାନ କରିବା ସହ ମାନସିକ ଚାପଗ୍ରସ୍ତ କରାଉଛନ୍ତି | ଆମ ପରିବାର ଏମ୍ପିଙ୍କ ସହିତ ଅର୍ଥ ଡିଲ ହୋଇଛି ବୋଲି ସୋସିଆଲ ମିଡିଆରେ ପ୍ରଚାର କରି ସରକାରଙ୍କ ତଦନ୍ତକାରୀ ସଂସ୍ଥା ଓ ପ୍ରଶାସନକୁ ନିନ୍ଦିତ କରିବାର ଉଦ୍ଦେଶ୍ୟ ରହିଛି। ଏହାଦ୍ୱାରା ମୋ ଭଉଣୀର ପ୍ରକୃତ ଦୋଷୀଙ୍କୁ ଖସିଯିବାକୁ ଏମାନେ ଷଡଯନ୍ତ୍ର କରୁଛନ୍ତି। ଏଭଳି ସ୍ଥିତିରେ ଆମକୁ ନ୍ୟାୟ ଦେବା ଏମାନଙ୍କର ଉଦ୍ଦେଶ୍ୟ ନୁହେଁ ବରଂ ଆମ ପରିବାରକୁ ମାନସିକ ଭାରାକ୍ରାନ୍ତ କରି ଅପମାନିତ କରିବାର ପ୍ରୟାସ କରୁଥିବାରୁ ଆମକୁ ସୁରକ୍ଷା ଦିଆଯାଉ ବୋଲି ଅଭିଯୋଗରେ ଦର୍ଶଯାଇଛି। ନଚେତ ସୁରକ୍ଷା ନଦେଲେ ଆତ୍ମହତ୍ୟା କରିବେ ବୋଲି ଜଣାଇଛନ୍ତି । ଭୋଗରାଇ ପୋଲିସ ଏହି ଏତଲାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଅପରପକ୍ଷରେ ମୃତା ଛାତ୍ରୀଙ୍କ ଭାଇ ଆଣିଥିବା ଅଭିଯୋଗରେ ଯୁବକମାନେ କେଉଁ ଅଞ୍ଚଳ ବା କେଉଁ ଗ୍ରାମର ଉଲ୍ଲେଖ କରି ନ ଥିବାରୁ ଏହାର ସତ୍ୟତାକୁ ନେଇ ପୋଲିସ ତଦନ୍ତ କରୁଛି।