ସୁପ୍ରିମକୋର୍ଟରେ ପୁଣି ଡିଜିପି ନିଯୁକ୍ତି ଶୁଣାଣି ଘୁଞ୍ଚିଲା, ଆସନ୍ତା ୧୬ ତାରିଖ ପାଇଁ ଦିନଧାର୍ଯ୍ୟ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଲାଗିରହିଛି ଦ୍ୱନ୍ଦ । ଏହାରି ଭିତରେ ସୁପ୍ରିମକୋର୍ଟରେ ଡିଜିପି ନିଯୁକ୍ତି ଶୁଣାଣି ପୁଣି ଘୁଞ୍ଚିଲା । ଆସନ୍ତା ୧୬ ତାରିଖରେ ଶୁଣାଣି ପାଇଁ ଦିନଧାର୍ଯ୍ୟ । ଏନେଇ ସୂଚନା ଦେଲେ ବରିଷ୍ଠ ଆଇନଜୀବୀ ସଂଗ୍ରାମ ପଟ୍ଟନାୟକ ।ଏହି ମାମଲାରେ ଏବେ ନୂଆ ମୋଡ଼ ଆସିଛି। ଆଇପିଏସ ସୁଶାନ୍ତ ନାଥ ଏଥିରେ ପକ୍ଷଭୁକ୍ତ ହୋଇଛନ୍ତି। ତାଙ୍କ ନିଜର ଓକିଲଙ୍କ ଜରିଆରେ କୋର୍ଟରେ ସପକ୍ଷ ତଥ୍ୟ ଉପସ୍ଥାପନ କରିବା ପାଇଁ ସେ କିଛି ସମୟ ଲୋଡ଼ିଛନ୍ତି। ଅଭିଯୋଗ ଅନୁଯାୟୀ, ଡିଜିପି ପଦବୀ ପାଇଁ ଚୂଡ଼ାନ୍ତ ହୋଇଥିବା ପ୍ରାରମ୍ଭିକ ୩ ଜଣିଆ ସର୍ଟଲିଷ୍ଟରେ ଡିଜି ରାଙ୍କର ଅଧିକାରୀ ସୁଶାନ୍ତ ନାଥଙ୍କ ନାମ ସାମିଲ ଥିଲା। ମାତ୍ର ପରବର୍ତ୍ତୀ ସମୟରେ ତାଙ୍କ ନାମକୁ ସେଥିରୁ ବାଦ୍ ଦିଆଯାଇଥିଲା। ଏହାକୁ ବିରୋଧ କରି ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆମିକସ କ୍ୟୁରି ଏବଂ ରାଜ୍ୟ ସରକାର ଦାଖଲ କରିଥିବା ଜବାବ ସମ୍ବନ୍ଧୀୟ କାଗଜପତ୍ର ସୁଶାନ୍ତଙ୍କ ଓକିଲ ମାଗିଛନ୍ତି, ଯାହା ପାଇବା ପରେ ସେମାନେ ନିଜର ଆଇନଗତ ପକ୍ଷ ରଖିବେ। କୋର୍ଟ ଏହି ନିବେଦନକୁ ସ୍ୱୀକାର କରିଛନ୍ତି।ଆମିକସକ୍ୟୁରି ରିପୋର୍ଟ ପଢ଼ିବାକୁ ସମୟ ନେଲେ ସଲିସିଟର ଜେନେରାଲ । ତେଣୁ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ ତାରିଖକୁ ଘୁଞ୍ଚିଲା ବୋଲି ବରିଷ୍ଠ ଆଇନଜୀବୀ ସଂଗ୍ରାମ ପଟ୍ଟନାୟକ କହିଛନ୍ତି ।