ସାହସୀ ସୈନିକଙ୍କ ପାଇଁ ରେଳ ଯାତ୍ରାରେ ଜୀବନବ୍ୟାପୀ ରିହାତି

Free Railway Travel ଦେଶର ବୀର ଯବାନ ଏବଂ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସେନା ମେଡାଲ, ନୌସେନା ମେଡାଲ ଏବଂ ବାୟୁସେନା ମେଡାଲରେ ସମ୍ମାନିତ ଯବାନ ଓ ଯୋଗ୍ୟ ପରିବାର ସଦସ୍ୟଙ୍କୁ ଏଣିକି ଭାରତୀୟ ରେଳରେ ଆଜୀବନ ମାଗଣା ଯାତ୍ରା ସୁବିଧା ମିଳିବ । ଜୀବନସାଥୀଙ୍କ ମୃତ୍ୟୁ ଘଟିଥିବା କ୍ଷେତ୍ରରେ ଏହି ସୁବିଧା ପୁନଃବିବାହ ପର୍ଯ୍ୟନ୍ତ ଜାରି ରହିବ । ଏହାସହ ମରଣୋତ୍ତର ବୀରତା ପୁରସ୍କାର ପାଇଥିବା ଅବିବାହିତ ଯବାନଙ୍କ ପିତାମାତାଙ୍କୁ ମଧ୍ୟ ଏହି ସୁବିଧାର ପରିସରରେ ସାମିଲ କରାଯାଇଛି ।ଯୋଗ୍ୟ ହିତାଧିକାରୀମାନେ ଭାରତୀୟ ରେଳର ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଏସି ଶ୍ରେଣୀ ଏବଂ ଏସି ଚେୟାର କାର୍‌ରେ ରିହାତି ସୁବିଧାରେ ଯାତ୍ରା କରିପାରିବେ । ସୁବିଧା ପାଇବା ପ୍ରକ୍ରିୟାକୁ ସରଳ କରିବା ପାଇଁ ସମଗ୍ର ବ୍ୟବସ୍ଥାକୁ ଡିଜିଟାଲ୍ ଓ କାଗଜବିହୀନ କରାଯାଇଛି । ଏଥିପାଇଁ ଭାରତୀୟ ରେଳବାଇ ରିହାତି କାର୍ଡ ପୋର୍ଟାଲରେ ଅନଲାଇନ୍ ପଞ୍ଜୀକରଣ କରିବାକୁ ପଡ଼ିବ । ଯାଞ୍ଚ ଓ ପ୍ରମାଣୀକରଣ ପରେ ଯୋଗ୍ୟ ବ୍ୟକ୍ତିଙ୍କୁ ଇଲେକ୍ଟ୍ରୋନିକ୍ ଯାତ୍ରା ପାସ୍ ଅନଲାଇନ୍‌ରେ ଜାରି କରାଯିବ। ଏହି ପାସ୍ ଆଧାରରେ ଟିକେଟ୍ ବୁକିଂ ସୁବିଧା ୧ ନଭେମ୍ବର ୨୦୨୬ରୁ ଆଇଆରସିସିପି ୱେବ୍ ପୋର୍ଟାଲ ମାଧ୍ୟମରେ ଆରମ୍ଭ ହେବ ।ଏପର୍ଯ୍ୟନ୍ତ ଦେଶର ୬ଟି ପ୍ରମୁଖ ଚକ୍ର ବୀରତା ପୁରସ୍କାର ବିଜେତାଙ୍କୁ ଆଜୀବନ ମାଗଣା ରେଳ ଯାତ୍ରା ସୁବିଧା ମିଳୁଥିଲା । ଏଥିରେ ପରମବୀର ଚକ୍ର, ମହାବୀର ଚକ୍ର, ବୀର ଚକ୍ର, ଅଶୋକ ଚକ୍ର, କୀର୍ତ୍ତି ଚକ୍ର ଏବଂ ଶୌର୍ଯ୍ୟ ଚକ୍ର ସାମିଲ ଥିଲା । ଏବେ ସେନା ମେଡାଲ, ନୌସେନା ମେଡାଲ ଏବଂ ବାୟୁସେନା ମେଡାଲ (ବୀରତା)କୁ ମଧ୍ୟ ଏହି ସୁବିଧାରେ ସାମିଲ କରାଯାଇଛି ।

You might also like