ସରକାରୀ ଯୋଜନାରେ ବଡ଼ ସଂସ୍କାର : ଅକାମୀ ଯୋଜନା ହେବ ବନ୍ଦ,୧୫ ଦିନ ମଧ୍ୟରେ ରିପୋର୍ଟ ତଲବ

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟ ସରକାର ରାଜ୍ୟ ପ୍ରବର୍ତ୍ତିତ ଯୋଜନାଗୁଡ଼ିକର ରୂପରେଖ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣିକି ପ୍ରଶାସନିକ ଦକ୍ଷତା ବଢ଼ାଇବା ଏବଂ ସମ୍ବଳର ସଠିକ୍ ବିନିଯୋଗ ପାଇଁ ଅଦରକାରୀ ବା କମ୍ ପ୍ରଭାବୀ ଯୋଜନାଗୁଡ଼ିକୁ ବନ୍ଦ କରାଯାଇପାରେ କିମ୍ବା ଅନ୍ୟ ବଡ଼ ଯୋଜନା ସହ ମିଶ୍ରଣ କରାଯାଇପାରେ।ଯେଉଁ ଯୋଜନାଗୁଡ଼ିକ ପାଇଁ ଗତ ୩-୪ ବର୍ଷ ହେବ ବଜେଟରେ କୌଣସି ବ୍ୟବସ୍ଥା ନାହିଁ କିମ୍ବା କେବଳ ସାମାନ୍ୟ ଅର୍ଥ ରଖାଯାଇଛି, ସେଗୁଡ଼ିକୁ ବନ୍ଦ କରିବା ପାଇଁ ବିଭାଗଗୁଡ଼ିକୁ ପରାମର୍ଶ ଦିଆଯାଇଛି।ସମସ୍ତ ବିଭାଗ ନିଜ ନିଜର ଯୋଜନାକୁ ଜନସାଧାରଣଙ୍କ ଉପରେ ପଡ଼ୁଥିବା ପ୍ରଭାବ ଆଧାରରେ ‘ଉଚ୍ଚ’, ‘ମଧ୍ୟମ’ ଓ ‘ନିମ୍ନ’ ପ୍ରାଥମିକତା ଶ୍ରେଣୀରେ ବିଭକ୍ତ କରିବେ।ଏହାଛଡ଼ା, କେନ୍ଦ୍ରୀୟ ଯୋଜନାଗୁଡ଼ିକରୁ ସର୍ବାଧିକ ହିତାଧିକାରୀ ଯେପରି ଉପକୃତ ହୋଇପାରିବେ, ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ଏବଂ କୌଣସି ଅବଶିଷ୍ଟ ତ୍ରୁଟି ରହିଲେ ତାହା ରାଜ୍ୟ ସରକାର ପୂରଣ କରିବେ।ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ଓ ତଥ୍ୟଭିତ୍ତିକ ଆକଳନ ପାଇଁ ‘ଅନୁସନ୍ଧାନ, ମୂଲ୍ୟାୟନ ଏବଂ ନୀରିକ୍ଷଣ’ (REM) ବାବଦରେ ପ୍ରତ୍ୟେକ ବଡ଼ ଯୋଜନାରେ କିଛି ଅର୍ଥ ବରାଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି ସମସ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ବିଭାଗ ସେମାନଙ୍କର ରାଜ୍ୟ କ୍ଷେତ୍ରୀୟ ଯୋଜନାଗୁଡ଼ିକର ଚୂଡ଼ାନ୍ତ ତାଲିକା ଆସନ୍ତା ୧୫ ଦିନ ମଧ୍ୟରେ ଯୋଜନା ଓ ସମନ୍ୱୟ ବିଭାଗକୁ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

You might also like