ସମୁଦ୍ର କ୍ଷୟ ରୋକିବାକୁ ଓଡ଼ିଶାରେ କର୍ଣ୍ଣାଟକ ମଡେଲ୍,୬ ଉପକୂଳ ଜିଲ୍ଲା ପାଇଁ ଅଢେଇ ହଜାର କୋଟି
ଭୁବନେଶ୍ୱର (ରାଜ୍ୟ କାହାଣୀ )ଦିନକୁ ଦିନ ଗମ୍ଭୀର ହେଉଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ । ଓଡ଼ିଶାରେ ବଢ଼ୁଥିବା ସାମୁଦ୍ରିକ ତଟ କ୍ଷୟ ଏବେ ସରକାରଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି । ସମୁଦ୍ର ଧୀରେ ଧୀରେ କୂଳ ଖାଉଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳର ଭିତ୍ତିଭୂମି ଓ ଲୋକଙ୍କ ସୁରକ୍ଷା ପ୍ରତି ବିପଦ ବଢ଼ିବାର ଆଶଙ୍କା ରହିଛି ।। ୬ ଉପକୂଳ ଜିଲ୍ଲାରେ ଖର୍ଚ୍ଚ ହେବ ୨ ହଜାରରୁ ଅଢେଇ ହଜାର କୋଟି । ଖୋଳାଯିବ ନଦୀ ମୁହାଣ, କଢ଼ାଯିବ ପଟୁ । କର୍ଣ୍ଣାଟକ ଢାଞ୍ଚାରେ ହେବ ପ୍ରତିକାର ବ୍ୟବସ୍ଥା । ଏଥିପାଇଁ ଓଡ଼ିଶାର ଅଧିକାରୀ ମାନେ କର୍ଣ୍ଣାଟକ ଯିବେ। ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କର ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି ।ରାଜ୍ୟର ୬ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡା, ଗଞ୍ଜାମ, ବାଲେଶ୍ବରା, ଭଦ୍ରକ, ପୁରୀରେ ମୂର୍ତ୍ତିକା କ୍ଷୟ ଆଗକୁ ନୂଆ ସମସ୍ୟା ଦେଖାଦେଇପାରେ । ଆଗୁଆ ସମାଧାନ ପାଇଁ ବୈଠକରେ ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କର ପ୍ରୟାସରେ ପ୍ରାଥମିକ ତଦନ୍ତ କରି ରିପୋର୍ଟ ପ୍ରସ୍ତୁତ ହୋଇଥିଲା । ସାମୁଦ୍ରିକ ତଟ କ୍ଷୟ କେମିତି ରୋକାଯାଇ ପାରିବ । ତଟବର୍ତ୍ତି ଲୋକଙ୍କ ସୁରକ୍ଷା କେମିତି ହୋଇ ପାରିବ । ଏନେଇ ଜଳସମ୍ପଦ, ଜଙ୍ଗଲ, ମତ୍ସ୍ୟ ପଶୁ ସମ୍ପଦ ବିଭାଗ ସହ ରାଜସ୍ବ ବିଭାଗର ଆଲୋଚନା ହୋଇଛି । ବିଭାଗୀୟ ଅଧିକାରୀ ରିପୋର୍ଟକୁ ପରୀକ୍ଷା ନିରୀକ୍ଷା କରି ସାରିଛନ୍ତି । ପ୍ରାଥମିକ ଅଟକଳ ୨ ହଜାରରୁ ୨ ହଜାର ୫ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଏନେଇ କେନ୍ଦ୍ରରୁ ଅନୁଦାନ ମିଳିବ ଏବଂ ଋଣ ମଧ୍ୟ କରାଯିବ ।