ସମୁଦ୍ରରେ ମାଛ ବଂଶ ବୃଦ୍ଧି ପାଇଁ ୧୫ ଏପ୍ରିଲରୁ ମାଛଧରା ଉପରେ କଟକଣା ଜାରି

ଭୁବନେଶ୍ୱର (ରାଜ୍ୟକାହାଣୀ )ଓଡ଼ିଶା ଉପକୂଳବର୍ତ୍ତୀ ସମୁଦ୍ରରେ ମତ୍ସ୍ୟଜୀବୀଙ୍କୁ ମାଛ ନ ଧରିବାକୁ ମତ୍ସ୍ୟ ନିର୍ଦ୍ଦେଶାଳୟ, ଓଡ଼ିଶା କଟକ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏପ୍ରିଲ ୧୫ ତାରିଖରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ଜଣାପଡିଛି ।ଏନେଇ ପାରାଦୀପ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ମାଛଧରା ବନ୍ଦର, ଷଣ୍ଢକୁଦରେ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଇଛି । ଏହି କଟକଣା ସମୟରେ ଯନ୍ତ୍ର ଚଳିତ ଡଙ୍ଗା ଓ ଟ୍ରଲର ସମୁଦ୍ର ମଧ୍ୟରେ ମାଛ ଧରି ପାରିବେ ନାହିଁ ବୋଲି ବିଭାଗ ପକ୍ଷରୁ ରୋକ୍ ଲଗା ଯାଇଛି । ଓଡ଼ିଶା ସାମୁଦ୍ରିକ ଫିସିଂ ରେଗୁଲେସନ୍ ଆକ୍ଟ ୧୯୮୨ ଅନୁଯାୟୀ ମାଛ ଧରିବାକୁ ନିଷେଧ କରାଯାଇଛି । ମାଛଙ୍କ ପ୍ରଜନନ ଋତୁରେ ସମୁଦ୍ରରେ ମାଛ ଅଣ୍ଡା ଓ ମାଛ ଜାଆଁଳ ନଷ୍ଟ ହେବା ଆଶଙ୍କାରେ ମାଛଧରାକୁ ଦୁଇ ମାସ ପାଇଁ ବନ୍ଦ ରଖିବାକୁ ମତ୍ସ୍ୟଜୀବୀ ମାନଙ୍କୁ କୁହାଯାଇଛି । ସମୁଦ୍ରରେ ମାଛ ଓ ଜାଆଁଳ ସଂରକ୍ଷଣ ନିମନ୍ତେ ଓଡ଼ିଶା ଉପକୂଳଠାରୁ ସମୁଦ୍ର ମଧ୍ୟକୁ ୧୨ ନେଟିକାଲ୍ ମାଇଲ୍ ପର୍ଯ୍ୟନ୍ତ ମାଛ ଧରିବା ଉପରେ ଏହି କଟକଣା ଲାଗୁ କରାଯାଇଛି । ପ୍ରାୟ ୨୯୫ ପ୍ରଜାତିର ସାମୁଦ୍ରିକ ମାଛଙ୍କ ଅଣ୍ଡାଦାନକୁ ସୁନିଶ୍ଚିତ କରିବା ସହ ହ୍ରାସ ପାଉଥିବା ମାଛ ବଂଶକୁ ସଂରକ୍ଷଣ କରିବା ଏହି କଟକଣାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସୂଚନା ମିଳିଛି । ତେବେ ଏହି କଟକଣାକୁ ମତ୍ସ୍ୟଜୀବୀମାନେ ସ୍ୱାଗତ କରିଛନ୍ତି ।

You might also like