ସାମାଜିକ ସଦଭାବନା ଓ ଓଡ଼ିଆ ଭାଷାର ଉତ୍ଥାନ ପାଇଁ ଆହ୍ୱାନ ସାପ୍ତାହିକ “ରାଜ୍ୟ କାହାଣୀ”ର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ ଅନୁଷ୍ଠିତ
ଭୁବନେଶ୍ୱର (ରାଜ୍ୟ କାହାଣୀ): ସାପ୍ତାହିକ ସମ୍ବାଦପତ୍ର ‘ରାଜ୍ୟ କାହାଣୀ’ର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ ଭୁବନେଶ୍ୱର ବୁଦ୍ଧମନ୍ଦିର ଠାରେ, ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କବି ରକ୍ଷକ ନାୟକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବରିଷ୍ଠ ସାମ୍ବାଦିକ ବିଭୂତି ଭୂଷଣ କର। ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପବିତ୍ର ମହାରଥା। ବିଶେଷ ଅତିଥି ଭାବେ ବିଜେପି ନେତା ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଏବଂ ସାହିତ୍ୟିକ ଡକ୍ଟର ଚକ୍ରଧର ଦାସ ପ୍ରମୁଖ ଯୋଗ ଦେଇଥିଲେ।ମୁଖ୍ୟ ଅତିଥି ବିଭୂତି ଭୂଷଣ କର କହିଥିଲେ ଯେ, ସମ୍ବାଦପତ୍ର ଆଜି ବହୁ ଆହ୍ୱାନ ମଧ୍ୟରେ ଗତି କରୁଛି। ଏହାର ମୁଖ୍ୟ କାରଣ ହେଉଛି ଉତ୍ତରଦାୟିତ୍ୱର ଅଭାବ। ମିଥ୍ୟା ଖବରର ପରିବେଷଣ ଦ୍ୱାରା ଗଣମାଧ୍ୟମ ପ୍ରଭାବିତ ହେଉଛି ଓ ସମାଜକୁ ଅପରିପକ୍ୱ କରାଯାଉଛି। ରାଜନୈତିକ ଦଳମାନେ ଏଥିରେ ଭୂମିକା ଗ୍ରହଣ କରୁଛନ୍ତି। ସମ୍ପାଦକ ଅଶୋକ ସାହୁ ପତ୍ରିକାର ଯାତ୍ରା ସମ୍ପର୍କରେ କହିଥିଲେ ଯେ, କିଛି ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇଁ ରାଜ୍ୟକାହାଣୀ ତାର କାର୍ଯ୍ୟକ୍ରମ ଓ ପ୍ରକାଶନ ଜାରି ରଖିଛି। ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ମୁଦ୍ରିତ ଗଣମାଧ୍ୟମର ବିଭିନ୍ନ ଦିଗ ଓ ଗଣମାଧ୍ୟମ ପ୍ରତିନଧି ମାନଙ୍କ କର୍ତବ୍ୟ ଉପରେ ଆଲୋଚନା କରିଥିଲେ।କବି ରକ୍ଷକ ନାୟକ କହିଥିଲେ ଯେ, ଓଡ଼ିଶାରେ ପତ୍ରିକା ମୃତ୍ୟୁ ହାର ସବୁଠାରୁ ଅଧିକ। ସାମାଜିକ ପ୍ରୋତ୍ସାହନର ଅଭାବ ଓ ବିଜ୍ଞାପନ ବିନା ପତ୍ରିକା ଚଳାଇବା କଷ୍ଟକର। ସାମାଜିକ ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରଭାବରେ ମୁଦ୍ରିତ ଗଣମାଧ୍ୟମ ପ୍ରତି ଲୋକଙ୍କ ଆଗ୍ରହ କମିଛି।
ଚକ୍ରଧର ଦାସ କହିଥିଲେ ଯେ, ରାଜ୍ୟକାହାଣୀ କିଛି ନୂଆ କରିବା, ଭଲ ଲୋକଙ୍କୁ ଯୋଡ଼ିବା ଓ ଭଲ କାମ କରିବା ଲକ୍ଷ୍ୟରେ ଆଗକୁ ବଢ଼ୁଛନ୍ତି। ଶବ୍ଦର ବିପ୍ଳବରେ ରାଜ୍ୟ କାହାଣୀ ଆଗରେ ରହିବେ ବୋଲି ସେ ବିଶ୍ୱାସ ପ୍ରକାଶ କରିଥିଲେ।ପବିତ୍ର ମହାରଥା କହିଥିଲେ ଯେ, ଆଜିକାଲି ସମାଜରେ ସାମାଜିକ ସଦଭାବନା ଓ ଚଳଣି କମିଯାଇଛି। ଦୋଷ ଅନ୍ୟକୁ ନଦେଇ ନିଜକୁ ସୁଧାରିବା ଜରୁରୀ। ଜଗନ୍ନାଥ ସଂସ୍କୃତିରେ ଏପରି ନଥିଲା। ରାଜ୍ୟ କାହାଣୀ ଲୋକଙ୍କୁ ସାମାଜିକ ସଂସ୍କାର ଶିଖାଉଥାଉ ଓ ପୂର୍ବଜଙ୍କୁ ସମ୍ମାନ ମିଳୁଥାଉ। ସାମ୍ବାଦିକ ହୃଷିକେଶ ଗୌଡ଼ ଗ୍ରାମାଞ୍ଚଳ ସାମ୍ବାଦିକତା ଉପରେ ନିଜର ଅନୁଭବ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ହୃଷିକେଶ ଗୌଡ଼ ଓ ଚିତ୍ତ ରଞ୍ଜନ ପଟ୍ଟନାୟକ, ବଳରାମ ନନ୍ଦ ଅବସର ପ୍ରାପ୍ତ ସରକାରୀ ଅଧିକାରୀ ସୁଶାନ୍ତ ମହାନ୍ତି ଓ ଗୌରଚନ୍ଦ୍ର ମହାପାତ୍ର, ସମ୍ବଲପୁରର ସାହିତ୍ୟିକ ଓ ସାମ୍ବାଦିକ ରାଜାରାମ ପଣ୍ଡା ତଥା ମୁଖ୍ୟ ଶାସନ ସଚିବଙ୍କ ସୂଚନା ଲୋକସମ୍ପର୍କ ଅଧିକାରୀ ପଠାଣି ରାଉତଙ୍କୁ ରାଜ୍ୟକାହାଣୀ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଶେଷରେ ରାଜ୍ୟକାହାଣୀ ସମ୍ପାଦକ ଅଶୋକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।