ଲଘୁଚାପ ପରେ ଲଘୁଚାପ,ବର୍ଷୁଛି ଆହୁରି ବର୍ଷିବ

ଭୁବନେଶ୍ଵର (ରାଜ୍ୟ କାହାଣୀ )ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଆଜି ଅବପାତର ରୂପ ନେଇ ପାରେ। ଉତ୍ତର ଓଡ଼ିଶା ପାଇଁ ବଡ଼ ବର୍ଷା ବିପଦ ରହିଛି। କିଛି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ। ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ୪ ଜିଲ୍ଲା ହେଲେ ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ। ଏହି ୪ ଜିଲ୍ଲାରେ ଭୀଷଣରୁ ଅତି ଭୀଷଣ ବର୍ଷା ହୋଇପାରେ।ଏହା ସହ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବଡ଼ ବର୍ଷା ସମ୍ଭାବନା ରହିଛି। କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ ଓ ଅନୁଗୁଳ ସମେତ ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଏସବୁ ଅଞ୍ଚଳ ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ରହିଛି।ଚାଷୀଙ୍କ ଭାତ ହାଣ୍ଡି ଉପରେ ଏବେ ପୁଣି ମାଡ଼ି ଆସିଛି ଲଘୁଚାପ ବର୍ଷା । ଚଳିତ ବର୍ଷ ଜୁଲାଇ ମାସରୁ ଏଯାଏଁ ଚାଷୀଙ୍କୁ ଏକାଧିକ ଲଘୁଚାପର ମୁକାବିଲା କରିବାକୁ ପଡ଼ିଛି । ଗୋଟିଏ ଲଘୁଚାପର କ୍ଷତିରୁ ଚାଷୀ ମୁକୁଳିବା ପୂର୍ବରୁ ପୁଣି ଆସୁଛି ଆଉ ଏକ ଲଘୁଚାପ । ପ୍ରଥମେ ଲଘୁଚାପଜନିତ ବର୍ଷାରେ ବୁଡ଼ିଗଲା ଗଜା ବିହନ। ପାଣିରେ ଦୀର୍ଘ ସମୟ ଧରି ବୁଡ଼ି ରହିବାରୁ ଅନେକ ତଳି ସଢ଼ି ନଷ୍ଟ ହୋଇଗଲା । ଯେଉଁ କିଛି ତଳି ବଞ୍ଚିଲା, ତାହାକୁ ନେଇ ଚାଷୀ ରୁଆ କାମ ଆରମ୍ଭ କରିଥିଲେ । ହେଲେ ଏବେ ବି ଅନେକ ଚାଷ ଜମିରୁ ପାଣି ଛାଡ଼ୁନାହିଁ । ଜମିରେ ଆଣ୍ଠୁଏ ପାଣି ଜମି ରହିଥିବାରୁ ତଳି ରୋଇବା ବି କଷ୍ଟକର ହୋଇପଡ଼ିଛି । ଏଭଳି ସ୍ଥିତିରେ ପୁଣି ଲଘୁଚାପ ବର୍ଷା ଚାଷୀଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ସାଜିଛି ।

You might also like