ଲଗଜରୀ କ୍ରୁଜ ସିପ୍ ରେ ହାଣ୍ଟାଭାଇରସ ସଂକ୍ରମଣ, ୩ ମୃତ, ଜାହାଜରେ ଅଛନ୍ତି ୨ ଭାରତୀୟ

ଆଟଲାଣ୍ଟିକ ମହାସାଗରରେ କେପ୍‌ ଭର୍ଡେ ନିକଟରେ ଅଟକି ରହିଥିବା କ୍ରୁଜ ଜାହାଜ ‘ଏମ୍‌ଭି ହଣ୍ଡିୟସ୍’ରେ ହଣ୍ଟାଭାଇରସ୍‌ ବ୍ୟାପିବା ଘଟଣା ଏବେ ସମସ୍ତଙ୍କୁ ଭୟଭୀତ କରିଛି ।ଜାହାଜରେ ଥିବା ଚାଳକଦଳ ସଦସ୍ୟଙ୍କ ମଧ୍ୟରେ ୨ ଜଣ ଭାରତୀୟ ମଧ୍ୟ ଅଛନ୍ତି। ଜାହାଜରେ ଏ ପର୍ଯ୍ୟନ୍ତ ୫ଟି ସଂକ୍ରମଣ ମାମଲା ପୁଷ୍ଟି ହୋଇଛି। ଏଥିରୁ ଏ ପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ହେଲାଣି। ସୂଚନା ଅନୁସାରେ ଓସନୱାଇଡ୍ ଏକ୍ସପେଡିସନସ୍ ଏହି ବିଳାଶମୟ କ୍ରୁଜ ସିପ୍ ଏପ୍ରିଲ ୧ ତାରିଖରେ ଆର୍ଜେଣ୍ଟିନାର ଉଶୁଆଇୟାରୁ ବାହାରିଥିଲା। ଜାହାଜ ମେ୧୦ ତାରିଖ ସୁଦ୍ଧା ସ୍ପେନର କେନେରୀ ଆଇଲ୍ୟାଣ୍ଡ ପହଞ୍ଚିବାର ସମ୍ଭାବନା ରହିଛି।ଯାତ୍ରା ଆରମ୍ଭ ବେଳେ ଜାହାଜରେ ୨୮ ଦେଶର ୧୫୦ ଯାତ୍ରୀ ଓ କ୍ରୁ ସଦସ୍ୟ ସାମିଲ ଥିଲେ। ଏପ୍ରିଲ ୧୧ ତାରିଖରେ ଜାହାଜରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ୨୪ ଏପ୍ରିଲରେ ମୃତଦେହ ସେଣ୍ଟ ହେଲେନା ଦ୍ବୀପରେ ଛାଡ଼ି ଦିଆଯାଇଥିଲା। ପରେ ଉକ୍ତ ଯାତ୍ରୀଙ୍କ ପତ୍ନୀ ଅସୁସ୍ଥ ହୋଇଥିଲେ ଓ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଉଭୟ ଡଚ୍‌ ନାଗରିକ ଥିଲେ। ଏପ୍ରିଲ ୨୭ରେ ଆଉ ଜଣେ ଯାତ୍ରୀ ଅସୁସ୍ଥ ହୋଇଥିଲେ।

ମେ ୨ରେ ଜଣେ ଜର୍ମାନ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ସେତେବେଳେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଚେତାବନୀ ଦେଇଥିଲା ଓ ଜାହାଜଟିକୁ କେପ୍‌ ଭର୍ଡ଼େଠାରେ ଅଟକିବାକୁ କହିଥିଲା।

You might also like