ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାରେ ମୋର ଭୂମିକା ନାହିଁ !ମୋତେ ଛନ୍ଦି ଦିଆଯାଇଥିଲା : ଆଜାଦ୍
ଭୁବନେଶ୍ୱର (ରାଜ୍ୟ କାହାଣୀ )’ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲା| ଦୀର୍ଘ 15 ବର୍ଷ 2 ମାସ ଧରି ଜେଲରେ ରହି ମୁକୁଳିବା ପରେ ପ୍ରଥମ ବୟାନ ଦେଇଛନ୍ତି ଡୋନା କେଶବ ରାଓ ଓରଫ ଆଜାଦ୍ ।ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାରେ ଆଜାଦଙ୍କୁ ପ୍ରମାଣ ଅଭାବରୁ ପାରଳାଖେମୁଣ୍ଡି ସ୍ୱତନ୍ତ୍ର କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । 15 ବର୍ଷ ଧରି ଚାଲିଥିବା ଆଇନଗତ ଲଢ଼େଇ ପରେ ଏହି ରାୟ ଆସିଛି । ସରକାରୀ ଦଲିଲରେ କୁହାଯାଇଛି ଯେ, ଆଜାଦ ଓରଫ ଡୋନା କେଶବ ରାଓଙ୍କ ନାମରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ମୋଟ 49ଟି ମାମଲା ରହିଛି । ସେଥିମଧ୍ୟରୁ ପାରଳାଖେମୁଣ୍ଡି ସ୍ୱତନ୍ତ୍ର କୋର୍ଟରେ 36ଟି ମାମଲା ବିଚାରାଧୀନ ଥିଲା । ଏହି ସମସ୍ତ 36ଟି ମାମଲାରେ, ପ୍ରମାଣ ଅଭାବରୁ ଆଜାଦଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ।2024ରେ, ମାମଲାର ଶୀଘ୍ର ବିଚାର ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା । ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ସରକାର ଆଜାଦଙ୍କ ବିରୁଦ୍ଧରେ 48ଟି ମାମଲା ସମ୍ପର୍କରେ ସତ୍ୟପାଠ ଦାଖଲ କରିଥିଲେ । 2025ରେ, ସୁପ୍ରିମକୋର୍ଟ ସରକାରଙ୍କୁ ଏହି ମାମଲାର ବିଚାର ଏକ ବର୍ଷ ମଧ୍ୟରେ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ, ବିଚାର ତ୍ୱରାନ୍ୱିତ ହୋଇଥିଲା । ଶେଷରେ, ପାରଳାଖେମୁଣ୍ଡି ସ୍ୱତନ୍ତ୍ର କୋର୍ଟର ରାୟରେ 36ଟି ମାମଲା ମଧ୍ୟରୁ ଆଜାଦଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ।ଜେଲରୁ ମୁକୁଳିବା ପରେ ଆଜାଦ୍ କହିଛନ୍ତି, “ମୁଁ ବହୁତ ଖୁସି ଅନୁଭବ କରୁଛି । 15 ବର୍ଷ ପରେ, ମୁଁ ଏକ ନୂତନ ଜୀବନ ଏବଂ ସମ୍ପୂର୍ଣ୍ଣ ସ୍ୱାଧୀନତା ପାଇଛି । ମୋ ସଂଘର୍ଷ ମଧ୍ୟରେ, ମୋ ସହିତ ଠିଆ ହୋଇଥିବା, ମୋତେ ସମର୍ଥନ କରିଥିବା ଏବଂ ମୋତେ ସାହାଯ୍ୟ କରିଥିବା ସମସ୍ତ ଲୋକଙ୍କୁ- ଓକିଲ, ପରିବାର ସଦସ୍ୟ ଏବଂ ବିଭିନ୍ନ ମାନବାଧିକାର କର୍ମୀଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି ।”ଡୋନା କେଶବ ରାଓ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଷଡଯନ୍ତ୍ର କରି ଯୋଜନାବଦ୍ଧ ଭାବରେ ଦୀର୍ଘ ଦିନ ଜେଲରେ ରଖାଯାଇଥିଲା । ଯଦି କୌଣସି ବ୍ୟକ୍ତିଙ୍କୁ ଗିରଫ କରାଯାଉଛି, ସେ ସମୟରେ ତାଙ୍କ ଉପରେ ଥିବା ସବୁ ମାମଲାକୁ ନେଇ ଏକ ନିର୍ଦ୍ଦିଷ୍ଟ ସମୟରେ କୋର୍ଟରେ ତାଙ୍କୁ ହାଜର କରାଯାଉ । ଟ୍ରାଏଲ କେସ୍ କରିବା ପାଇଁ ତାଙ୍କୁ ମୌକା ଦିଆଯାଉ । ସେହି ମାମଲାରେ ବ୍ୟକ୍ତି ଜଣଙ୍କ ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା କୋର୍ଟ ନିଷ୍ପତ୍ତି ନେବେ । ଯଦି କୌଣସି ବ୍ୟକ୍ତି ଗିରଫ ହେଉଛନ୍ତି , ତାଙ୍କ ଉପରେ ଯେଉଁ ମାମଲା ଅଛି, ତାକୁ ଗୋଟିଏ ସମୟରେ ନ ଲଗାଇ ଗୋଟିଏ ପରେ ଗୋଟିଏ କେସ ଲଗାଯାଇ ହଇରାଣ କରାଯାଉଛି ବୋଲି ଆଜାଦ୍ ଅଭିଯୋଗ ଆଣିଛନ୍ତି ।ଆଜାଦ୍ କହିଛନ୍ତି, “ଏହା ପ୍ରକୃତରେ ବହୁତ ଦୁର୍ଭାଗ୍ୟଜନକ । ଯେତେବେଳେ ଜଣେ ବ୍ୟକ୍ତି ମୁଖ୍ୟଧାରାରେ ସାମିଲ ହେବାକୁ ଚେଷ୍ଟା କରୁଛି, ସେମାନଙ୍କୁ ସମର୍ଥନ ଏବଂ ଉତ୍ସାହିତ କରାଯିବା ଉଚିତ୍ । କିନ୍ତୁ ମୋ କ୍ଷେତ୍ରରେ, ତାହା କରାଯାଇ ନଥିଲା । ତାହା କରିବା ପରିବର୍ତ୍ତେ, ମୋ ଉପରେ ଜାଣିଶୁଣି ମାମଲା ରୁଜୁ କରାଯାଇଥିଲା, ଏବଂ ମୋତେ ଏତେ ଦୀର୍ଘ ସମୟ ପାଇଁ ଜେଲରେ ରଖାଯାଇଥିଲା । ଏହି କାରଣରୁ, ଆମକୁ ସୁପ୍ରିମକୋର୍ଟକୁ ଯିବାକୁ ପଡିଲା । ମୋ ବିରୁଦ୍ଧରେ କେତେ ମାମଲା ଅଛି, ତାହାକୁ ଏକ ବର୍ଷ ସମୟ ସୀମା ମଧ୍ୟରେ ବିଚାର ସମାପ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର କୋର୍ଟ ଗଠନ କରିବାକୁ ସୁପ୍ରିମକୋର୍ଟ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ । ସେହି ନିର୍ଦ୍ଦେଶର ପରିଣାମ ସ୍ୱରୂପ ଆଜି ମୋତେ ଏହି ସ୍ଥାନରେ ପହଞ୍ଚାଇଛି ।”