ରାଷ୍ଟ୍ରୀୟ ଖଣିଜ ଚିନ୍ତନ ଶିବିରରେ ଯୋଗଦେବାକୁ ଓଡ଼ିଶା ଇସ୍ପାତ ଓ ଖଣି ମନ୍ତ୍ରୀଙ୍କ ଗୁଜରାଟ ଯାତ୍ରା

ଭୁବନେଶ୍ୱର( ରାଜ୍ୟ କାହାଣୀ)ଓଡ଼ିଶାର ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଗୁଜରାଟର ଗାନ୍ଧୀନଗର ଅବସ୍ଥିତ ମହାତ୍ମା ମନ୍ଦିର କନଭେନ୍ସନ ଓ ପ୍ରଦର୍ଶନ କେନ୍ଦ୍ରରେ ଆୟୋଜିତ “ରାଷ୍ଟ୍ରୀୟ ଖଣିଜ ଚିନ୍ତନ ଶିବିର–୨୦୨୬” ରେ ଯୋଗଦେବା ପାଇଁ ଗୁଜରାଟ ଅଭିମୁଖେ ଯାତ୍ରା କରିଛନ୍ତି।
ଭାରତ ସରକାରଙ୍କ ଖଣିଜ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି ଜାତୀୟ ସ୍ତରର ଚିନ୍ତନ ଶିବିରରେ କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ସମନ୍ୱୟ ବଢ଼ାଇବା ସହିତ ଖଣିଜ କ୍ଷେତ୍ର ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବ। ଶିବିରରେ ଖଣିଗୁଡ଼ିକର କାର୍ଯ୍ୟାନ୍ବୟନ, କ୍ରିଟିକାଲ ମିନେରାଲ ମିଶନ, ପ୍ରଯୁକ୍ତିର ବ୍ୟବହାର, ଏବଂ ଖଣି ନିଲାମ ପ୍ରକ୍ରିୟା ସହିତ ସଂପୃକ୍ତ ବିଭିନ୍ନ ବିଷୟ ଉପରେ ଆଲୋଚନା ହେବ।
କେନ୍ଦ୍ରୀୟ କୋଇଲା ଓ ଖଣିଜ ମନ୍ତ୍ରୀ ଜି.କିସନ ରେଡ୍ଡିଙ୍କ ସହିତ ଦେଶର ବିଭିନ୍ନ ରାଜ୍ୟର ଖଣିଜ ମନ୍ତ୍ରୀମାନଙ୍କ ସହିତ ପ୍ରଧାନ ସଚିବ ତଥା ଖଣିଜ କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ଅନୁଷ୍ଠାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
ଏହି ଜାତୀୟ ମଞ୍ଚରେ ଓଡ଼ିଶାର ଅନୁଭବ ଓ ଖଣିଜ କ୍ଷେତ୍ରରେ ଭୂମିକା ବିଷୟରେ ନିଜର ମତ ରଖିବେ ମନ୍ତ୍ରୀ। ନିକଟରେ ଓଡ଼ିଶା ସରକାରଙ୍କ ଦ୍ୱାରା OMMC–2025 ଓ OMPTS–2025 ଭଳି ନୂଆ ନୀତିଗତ ସଂସ୍କାର ଅଣାଯାଇଛି। ଯାହା ରାଜ୍ୟର ଖଣିଜ କ୍ଷେତ୍ରରେ ଆହୁରି ସୁଧାର ଆଣିବା ସହ ଅବୈଧ ଖନନକୁ ରୋକିବାରେ ସାହାଯ୍ୟ କରିବ।

You might also like