ରାମ ମେହେରଙ୍କୁ ସନ୍ଥ କବୀର ହ୍ୟାଣ୍ଡଲୁମ୍ ପୁରସ୍କାର ଏବଂ ପ୍ରଫୁଲ୍ଲ ସାହୁଙ୍କୁ ଜାତୀୟ ହ୍ୟାଣ୍ଡଲୁମ୍ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
ଭୁବନେଶ୍ୱର (ରାଜ୍ୟ କାହାଣୀ )’ଜାତୀୟ ହସ୍ତତନ୍ତ ଦିବସ’ ଅବସରରେ ଆଜି ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ର (RBCC) ଠାରେ ‘ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଏବଂ ଜାତୀୟ ହସ୍ତତନ୍ତ ପୁରସ୍କାର ୨୦୨୫’ ପ୍ରଦାନ କରାଯାଇଛି । ଭାରତର ସମୃଦ୍ଧ ହସ୍ତତନ୍ତ ଐତିହ୍ୟର ସଂରକ୍ଷଣ ଏବଂ ସମୃଦ୍ଧି ପାଇଁ ଦେଶର 22 ଜଣ କାରିଗରଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବରଗଡ଼ ଜିଲ୍ଲାର ବୁଣାକାର ରାମ ମେହେରଙ୍କୁ ‘ସନ୍ଥ କବୀର ହ୍ୟାଣ୍ଡଲୁମ୍ ପୁରସ୍କାର-୨୦୨୫’ ଏବଂ ଜଗତସିଂହପୁର ଜିଲ୍ଲାର ପ୍ରଫୁଲ୍ଲ କୁମାର ସାହୁଙ୍କୁ ‘ଜାତୀୟ ହ୍ୟାଣ୍ଡଲୁମ୍ ପୁରସ୍କାର-୨୦୨୫’ ପ୍ରଦାନ କରିଛନ୍ତି ମହାମହିମ ରାଷ୍ଟ୍ରପତି । ବରଗଡ଼ର ରାମ ମେହେର ସମ୍ବଲପୁରୀ ବାନ୍ଧ (ଇକତ୍) ବୟନ କଳାର ଜଣେ ଅଗ୍ରଣୀ ବୁଣାକାର । ଦୀର୍ଘ ବର୍ଷ ଧରି ସେ ପାରମ୍ପରିକ ବାନ୍ଧ ବୟନ କଳାର ସୁରକ୍ଷା, ସଂରକ୍ଷଣ ଓ ପ୍ରଚାର-ପ୍ରସାର ପାଇଁ କାମ କରିଆସୁଛନ୍ତି । ସେହିଭଳି ଜଗତସିଂହପୁର ଜିଲ୍ଲାର ପ୍ରଫୁଲ୍ଲ କୁମାର ସାହୁଙ୍କୁ ‘ଜାତୀୟ ହ୍ୟାଣ୍ଡଲୁମ୍ ପୁରସ୍କାର-୨୦୨୫’ ପ୍ରଦାନ କରାଯାଇଛି । ସେ ତାଙ୍କର ନିଖୁଣ ହସ୍ତତନ୍ତ କାରିଗରୀ ଦ୍ବାରା କେନ୍ଦ୍ରାପଡ଼ା ଶାଢୀ ଏବଂ ବସ୍ତ୍ରକୁ ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତେଣୁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି ।